Categories: ଜାତୀୟ

ଗୋବରରେ ପ୍ରସ୍ତୁତ ଆଟାଚ୍‌ ଭିତରେ ବଜେଟ୍‌

ରାୟପୁର,୯।୩: ଛତିଶଗଡର ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ବିଧାନସଭାରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତି। ଗାଈକୁ ଗୁରୁତ୍ୱ ଦେବା ସହ ସେ ଏକ ନିଆରା ପଦକ୍ଷେପ ନେଇ ଗୋବରରେ ତିଆରି ଏକ ବ୍ୟାଗରେ ବଜେଟ ଡକ୍ୟୁମେଣ୍ଟ ଆଣିଥିଲେ। ବଜେଟରେ, ସରକାରୀ କର୍ମଚାରୀଙ୍କ ପାଇଁ ପୁରୁଣା ପେନସନ ଯୋଜନାର ପୁନରୁଦ୍ଧାର ସହିତ ମୁଖ୍ୟମନ୍ତ୍ରୀ ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ବଜେଟରେ ରାଜୀବ ଗାନ୍ଧୀ ଭୂମୀହୀନ କୃଷି ଶ୍ରମିକ ନ୍ୟାୟ ଯୋଜନା ଅଧୀନରେ ବାର୍ଷିକ ସହାୟତାକୁ ୬୦୦୦ରୁ ୭୦୦୦ ଟଙ୍କାକୁ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି।
ବାଘେଲ କହିଛନ୍ତି, ସେ ଏହି ବଜେଟରେ ସରକାରୀ କର୍ମଚାରୀଙ୍କ ପାଇଁ ପୁରୁଣା ପେନସନ ଯୋଜନାର ପୁନରୁଦ୍ଧାର ପାଇଁ ଘୋଷଣା କରୁଛନ୍ତି। ୨୦୨୨-୨୩ ବର୍ଷର ବଜେଟରେ, ଜାନୁୟାରୀ ୧, ୨୦୦୪ରେ ଛତିଶଗଡରେ ନିଯୁକ୍ତ ସରକାରୀ କର୍ମଚାରୀଙ୍କ ପାଇଁ ନୂତନ ପେନସନ ସ୍କିମ (ଏନ୍‌ପିଏସ୍‌) ସ୍ଥାନରେ ପୁରୁଣା ପେନସନ ସ୍କିମ କାର୍ଯ୍ୟକାରୀ କରିବାକୁ ଘୋଷଣା କରାଯାଇଛି। ଏହାପୂର୍ବରୁ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଫେବୃୟାରୀ ୨୩ରେ ଚତୁର୍ଥ ବଜେଟ ଉପସ୍ଥାପନ କରୁଥିବାବେଳେ ପୁରୁଣା ପେନସନ ସ୍କିମ (ଓପିଏସ) କାର୍ଯ୍ୟକାରୀ କରିବାକୁ ଘୋଷଣା କରିଥିଲେ।
ଦକ୍ଷତା ବିକାଶ କାର୍ଯ୍ୟକ୍ରମ ସହିତ ସମନ୍ବୟ ରକ୍ଷା କରି ରୋଜଗାରର ସମ୍ଭାବନା ଉପରେ କାର୍ଯ୍ୟ କରିବାକୁ ଛତିଶଗଡ ନିଯୁକ୍ତି ମିଶନକୁ ଦୁଇ କୋଟି ଟଙ୍କା ପ୍ରସ୍ତାବ ଦିଆଯାଇଛି। ଯେଉଁ ବ୍ୟାଗରେ ମୁଖ୍ୟମନ୍ତ୍ରୀ ବଜେଟ ଡକ୍ୟୁମେଣ୍ଟ ସହିତ ବିଧାନସଭାରେ ପହଞ୍ଚିଥିଲେ ତାହା ଗୋବରରେ ତିଆରି। ଏହା ଉପରେ ‘ଗୋମୟ ବସତେ ଲକ୍ଷ୍ମୀ’ ଲେଖା ଅଛି। ରାଜ୍ୟରେ ଗାଈ ପ୍ରୋତ୍ସାହନ ପାଇଁ ବିଭିନ୍ନ ଯୋଜନା ଚାଲିଛି।

Share