Categories: ଜାତୀୟ

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: କୋଭିଡ୍‌ ଅନାଥ ପିଲାଙ୍କୁ ପ୍ରତିମାସରେ ମିଳିବ ୧୫୦୦ ଟଙ୍କା

ପାଟନା,୩୦।୫: କରୋନା ମହାମାରୀରେ ମାଆବାପାଙ୍କୁ ହରାଇ ଅନାଥ ହୋଇଥିବା ପିଲାମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେତେକ କଲ୍ୟାଣକାରୀ ଯୋଜନା ଘୋଷଣା କରିଛନ୍ତି। ରବିବାର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ଅନାଥ ପିଲାଙ୍କ ମୁହଁରେ ହସ ଫୁଟାଇବାକୁ ଚେଷ୍ଟା କରିଛନ୍ତି। କୋଭିଡ ସମୟରେ ଅନାଥ ପିଲାମାନଙ୍କୁ ମାସିକ ୧୫୦୦ ଟଙ୍କା ଦେବାକୁ ବିହାର ସରକାର ନିଷ୍ପତ୍ତି ନେଇଛନ୍ତି। ସୂଚନାଯୋଗ୍ୟ, ବିହାରର କରୋନାର ଦ୍ୱିତୀୟ ଲହର ବହୁ କ୍ଷତି ଘଟାଇଛି। ରାଜ୍ୟରେ ବହୁ ସଂଖ୍ୟକ ପିଲା ଅନାଥ ହୋଇଯାଇଛନ୍ତି। ଏଭଳି ପରିସ୍ଥିତିରେ ପିଲାମାନଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିଛି। ନିକଟରେ ସୁପ୍ରିମକୋର୍ଟ ରାଜ୍ୟ ସରକାର ଏବଂ ଜିଲା ପ୍ରଶାସନକୁ କୋଭିଡ ସମୟରେ ଅନାଥ ପିଲାମାନଙ୍କର ଦାୟିତ୍ୱ ଗ୍ରହଣ କରିବା ଏବଂ ସେମାନଙ୍କ ଜୀବିକା, ଖାଦ୍ୟ ଏବଂ ଶିକ୍ଷା ଠିକ ଭାବରେ ଯୋଗାଇ ଦିଆଯିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ସମୟରେ ଅନାଥ ପିଲାମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଯେଉଁ ପିଲାମାନଙ୍କର ମାତାପିତା କୋଭିଡ -୧୯ ମହାମାରୀ ହେତୁ ମୃତ୍ୟୁବରଣ କରିଛନ୍ତି, ସେମାନଙ୍କୁ ପିଏମ୍‌ କେୟାର ଫର ଚିଲ୍‌ଡ୍ରେନ୍‌ ଯୋଜନା ଅଧୀନରେ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ପ୍ରତି ମାସରେ ଆର୍ଥିକ ସହାୟତା ଦିଆଯିବ। ୨୩ ବର୍ଷ ବୟସ ପୂରଣ ହେବା ପରେ, ସେ ପିଏମ କେୟାର ଫଣ୍ଡରୁ ୧୦ ଲକ୍ଷ ଟଙ୍କା ପାଇବେ। ଏହା ବ୍ୟତୀତ ଏହି ପାଣ୍ଠି ଅଧୀନରେ ପିଲାମାନଙ୍କର ଶିକ୍ଷା ଖର୍ଚ୍ଚ ମଧ୍ୟ ଦିଆଯିବ।

Share