ନୂଆଁଖାଇରେ ସିଏମ୍‌ କିଷାନର ପ୍ରଥମ କିସ୍ତି

ଭୁବନେଶ୍ୱର, ୩।୯(ସୁନିତ୍‌ ମିଶ୍ର): ଡିଜିଟାଲ ଫସଲ ସର୍ବେକ୍ଷଣର ସମୀକ୍ଷା ବୈଠକ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି।

ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଅରବିନ୍ଦ କୁମାର ପାଢ଼ୀ, କୃଷି ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧରୀ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ବୃନ୍ଦ ଯୋଗ ଦେଇଛନ୍ତି। ରାଜ୍ୟର ସମସ୍ତ ଜିଲାରୁ ଜିଲାପାଳମାନେ ଭିଡିଓ କନ୍‌ଫରେନ୍ସ ଜରିଆରେ ଯୋଗ ଦେଇଛନ୍ତି। ଇ-ଚାଷ ଆପ୍‌ ଜରିଆରେ ଡିଜିଟାଲ ଫସଲର ସର୍ବେକ୍ଷଣ କରାଯାଉଛି, ଯେଉଁଥିରେ କୃଷକଙ୍କ ଫସଲ ଓ ଚାଷଜମିର ତଥ୍ୟ ସରକାରଙ୍କ ପାଖରେ ପହଞ୍ଚି ପାରୁଛି।

ଏହି ସର୍ବେକ୍ଷଣ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ସର୍ବେକ୍ଷଣ ଆଧାରରେ ଚାଷୀମାନେ ସିଏମ୍‌ କିଷାନ ତଥା ଅନେକ ଅନ୍ୟ ଯୋଜନା ଅନ୍ତର୍ଗତ ଆର୍ଥିକ ସୁବିଧା ପାଇପାରିବେ। ଏହାର ପ୍ରଥମ କିସ୍ତି ଆସନ୍ତା ସେପ୍ଟେମ୍ବର ୮ ତାରିଖ ନୂଆଁଖାଇ ଦିନ ଡିବିଟି ମାଧ୍ୟମରେ ପ୍ରଦାନ କରାଯିବ। ବାଦ ପଡିଥିବା ସମସ୍ତ ଯୋଗ୍ୟ ଚାଷୀ ଏହାଦ୍ୱାରା ଉପକୃତ ହୋଇପାରିବେ ବୋଲି ମନ୍ତ୍ରୀ ସିଂହଦେଓ କହିଛନ୍ତି।

କୃଷକଙ୍କ ତଥ୍ୟ ଏକ ରେଜିଷ୍ଟରରେ ଆଇଡି ସହ ରହିବ। ଏଥିପାଇଁ ପ୍ରତି ଜିଲାରେ ନୋଡାଲ ଅଧିକାରୀମାନେ ରହିବେ ଓ ସେମାନେ ପ୍ରତ୍ୟକ୍ଷ ଭାବେ କ୍ଷେତ୍ର ପରିଦର୍ଶନରେ ଯାଇ ସର୍ବେକ୍ଷଣର ଅନୁଧ୍ୟାନ କରିବେ। ବାଦ୍‌ ପଡିଯାଇଥିବା ଯୋଗ୍ୟ ହିତାଧିକାରୀଙ୍କ ତଥ୍ୟ ସଂଗ୍ରହ କରି ବିଭାଗକୁ ଜଣାଇବେ। ଏନେଇ ଏକ ମାର୍ଗଦର୍ଶିକା ତିଆରି ହେବ ଓ ସିଏମ୍‌ କିଷାନ ପୋର୍ଟାଲ ବର୍ଷତମାମ ଖୋଲା ରହିବ ବୋଲି ପ୍ରମୁଖ ଶାସନ ସଚିବ ପାଢ଼ୀ କହିଛନ୍ତି। ଚାଷୀମାନେ ନୂଆ ପୋର୍ଟାଲ ଜରିଆରେ ଆବେଦନ କିମ୍ବା ତଥ୍ୟ ଅପଡେଟ କରିବା ପାଇଁ କୌଣସି ପ୍ରକାର ଦେୟ ପ୍ରଦାନ କରିବେ ନାହିଁ। ଏହାର ସମସ୍ତ ଖର୍ଚ୍ଚ ସରକାର ବହନ କରିବେ। ଶେଷରେ ଜିଲାପାଳମାନେ ନିଜ ନିଜର ସମସ୍ୟା ବିଷୟରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।

Share