Categories: ରାଜ୍ୟ

ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟାଳୟରୁ ପୁରୀକୁ ଜଗନ୍ନାଥ ଏକ୍ସପ୍ରେସ୍‌‌ ବସ୍‌‌ ସେବା ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୮ା୧: ଗୁରୁବାର ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ଜଗନାଥ ଏକ୍ସପ୍ରେସ୍‌‌ ବସ୍‌‌ର ଶୁଭାରମ୍ଭ କରିଛନ୍ତି। ଓଡ଼ିଶାର ସମସ୍ତ ଜିଲ୍ଲା ମୁଖ୍ୟାଳୟରୁ ଭୁବନେଶ୍ୱର ଦେଇ ପୁରୀକୁ ଶୀତତାପ ନିୟନ୍ତ୍ରିତ ବସ୍‌‌ ଚାଲିବ। ଆସନ୍ତା ୨୨ ତାରିଖରୁ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ପୁରୀ ଶ୍ରୀମନ୍ଦିରକୁ ପ୍ରତ୍ୟେକ ଦିନ ଯେପରି ୧୦ ହଜାର ଶ୍ରଦ୍ଧାଳୁ ବସ୍‌‌ ଯୋଗେ ଆସିପାରିବେ, ସେଥିପାଇଁ ଏକ ମାସ ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମା’ମାନଙ୍କ ପାଇଁ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ୍‌ରେ ଟିକେଟର ମୂଲ୍ୟ ମାତ୍ର ୫୦ ପ୍ରତିଶତ ରହିବ। ସେ କହିଥିଲେ ଯେ ଲକ୍ଷ୍ମୀ ବସ୍‌ ଯୋଜନାରେ ମା’ମାନଙ୍କ ପାଇଁ ଟିକେଟ ଦାମ୍‌ ମାତ୍ର ୫ ଟଙ୍କା ରହିଛି। ଏହା ମା’ମାନଙ୍କ ପାଇଁ ବହୁ ସୁବିଧା ଆଣିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

5T ଉପକ୍ରମରେ ଆରମ୍ଭ ହୋଇଥିବା ଲକ୍ଷ୍ମୀ ବସ୍‌ସେବା ଯୋଜନା ଅଧିନରେ ଏହି ବସ୍‌ ସେବା ଆରମ୍ଭ ହୋଇଛି। ରାଜ୍ୟର ୩୦ଟି ଜିଲ୍ଲାରୁ ୮୦ଟି ସୁପର ପ୍ରିମିୟମ ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍‌ ବସ୍‌ ଏହି ଯୋଜନାରେ ଚଳାଚଳ କରିବ। ଗୁରୁବାର ପ୍ରଥମ ପର୍ଯ୍ୟାୟରେ ୧୨ ଜିଲ୍ଲାରୁ ଏହି ସେବା ଆରମ୍ଭ ହେଲା। ଏହି ଜିଲ୍ଲା ଗୁଡିକ ହେଲା- ବଲାଙ୍ଗିର, ବରଗଡ, ଗଞ୍ଜାମ, ଝାରସୁଗୁଡା, କୋରାପୁଟ, କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର, ନୂଆପଡା, ରାୟଗଡା, ସମ୍ବଲପୁର ଓ ସୁନ୍ଦରଗଡ।

ରାଜ୍ୟବାସୀଙ୍କୁ ପୁରୀଧାମ ଆସି ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ ଲାଭ କରିବା ପାଇଁ ଆମର ଏହି ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ୍‌ସେବା ଆରମ୍ଭ ହୋଇଛି। ଆପଣମାନେ ସମସ୍ତେ ଏହାର ସୁଯୋଗ ନିଅନ୍ତୁ ଓ ମହାପ୍ରଭୁଙ୍କ ଆଶୀର୍ବାଦ ଲାଭ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମହାପ୍ରଭୁଙ୍କ ଇଚ୍ଛାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଗତକାଲି ଲୋକାର୍ପଣ ହୋଇଛି। ଏହି ପ୍ରକଳ୍ପ ଦ୍ୱାରା ମନ୍ଦିରର ଆହୁରି ଶୋଭା ବର୍ଦ୍ଧନ ହେବା ସହିତା ପରିବେଶକୁ ଆହୁରି ଭକ୍ତିମୟ କରିଛି। ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କ ପାଇଁ ସୁବିଧା ଦର୍ଶନର ବ୍ୟବସ୍ଥା କରାଯାଇଛି। ମହାପ୍ରଭୁଙ୍କ ଦର୍ଶନ ପାଇଁ ଆପଣମାନଙ୍କ ପାଇଁ ଆରାମଦାୟକ ବସ୍‌ସେବା ଆରମ୍ଭ ହେଲା। ଆପଣମାନେ ସୁବିଧାରେ ପୁରୀ ଆସି ମହାପ୍ରଭୁଙ୍କ କୃପା ଲାଭ କରିବେ ବୋଲି ମୋର ବିଶ୍ୱାସ ବୋଲି ସେ କହିଥିଲେ।