Categories: ଜାତୀୟ

କୋଲକାତା ଫେରିଲେ ଦିଦି, କହିଲେ ବିରୋଧି ଏକଜୁଟ ହେବା ଜରୁରୀ

ନୂଆଦିଲ୍ଲୀ,୩୦ ।୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କର ୫ ଦିନିଆ ଦିଲ୍ଲୀ ଗସ୍ତ ସାରି ଶୁକ୍ରବାର କୋଲକାତା ଫେରିଛନ୍ତି । ଏହାପୂର୍ବରୁ ସେ ଦିଲ୍ଲୀରେ କହିଛନ୍ତି ତାଙ୍କ ୫ ଦିନିଆ ଗସ୍ତ ଭିତରେ ସେ ବହୁ ନେତାଙ୍କ ସହ ସାକ୍ଷାତ୍ କରିଛନ୍ତି । ତେଣୁ ତାଙ୍କ ଯାତ୍ରା ସଫଳ ହୋଇଛି । ବିରୋଧି ଏକତା ଉପରେ ଜୋର ଦେଇ ଦିଦି କହିଛନ୍ତି ଆମର ସ୍ଲୋଗାନ ହେଉଛି ‘ଲୋକତନ୍ତ୍ର ବଞ୍ଚାଅ, ଦେଶ ବଞ୍ଚାଅ’ । ମମତା କହିଛନ୍ତି ସେ ଏନ୍‌ସିପି ମୁଖ୍ୟ ଶରଦ ପାୱାରଙ୍କ ସହ କଥା ହୋଇଛନ୍ତି । କରୋନା ମହାମାରୀ ପାଇଁ ସେ କେତେଜଣ ନେତାଙ୍କ ସହ କଥା ହୋଇ ପାରିଲେ ନାହିଁ । ତେବେ ପ୍ରତି ଦୁଇ ମାସରେ ସେ ଦିଲ୍ଲୀ ଆସିବେ ବୋଲି କହିଛନ୍ତି । ଟିଏମ୍‌ସି ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୃଷି ଆଇନ ଓ ପେଟ୍ରୋଲ ଡିଜେଲ ଦର ବୃଦ୍ଧିକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି କୃଷକଙ୍କୁ ଆମର ପୂର୍ଣ୍ଣ ସମର୍ଥନ ରହିଛି । ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ମମତାଙ୍କର ଏହା ପ୍ରଥମ ଦିଲ୍ଲୀ ଗସ୍ତ ଥିଲା । ୨୬ ଜୁଲାଇରେ ସେ ଦିଲ୍ଲୀ ପହଞ୍ଚିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ୍ କରିଥିଲେ । ଏହାସହ କଂଗ୍ରେସ ଅଧ୍ୟକ୍ଷା ସୋନୀଆ ଗାନ୍ଧୀ, କମଲନାଥ, ଆନନ୍ଦ ଶର୍ମା, ଅଭିଶେକ ମନୁ ସିଘଂବିଙ୍କ ସହ ମଧ୍ୟ ସାକ୍ଷାତ୍ କରିଥିଲେ ।

Share