Categories: ଜାତୀୟ

ଫୋନ୍‌ରେ ଷ୍ଟାଲିନଙ୍କ ସହ କଥା ହେଲେ ମମତା

କୋଲକାତା,୧୯।୪: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏବଂ ନୀତୀଶ କୁମାରଙ୍କ ସମେତ ଅନେକ ନେତା ଲୋକ ସଭା ନିର୍ବାଚନକୁ ନେଇ ବିରୋଧୀ ଏକତା ପାଇଁ ନିରନ୍ତର ଚେଷ୍ଟା କରୁଛନ୍ତି। ଏହି ସମୟରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଡିଏମ୍‌କେ ମୁଖ୍ୟ ତଥା ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ସହ ବୁଧବାର ଫୋନ୍‌ରେ କଥା ହୋଇଛନ୍ତି।

ମମତା ବାନାର୍ଜୀ ଷ୍ଟାଲିନଙ୍କ ସହ କଥାବାର୍ତ୍ତା ବେଳେ ତାମିଲନାଡୁ ବିଧାନସଭା ଦ୍ୱାରା ପାରିତ ହୋଇଥିବା ବିଲକୁ ସମର୍ଥନ କରିଛନ୍ତି। ଯେଉଁଥିରେ ରାଜ୍ୟପାଳ ଏକ ପ୍ରସଙ୍ଗକୁ ଅନୁମୋଦନ କରିବା ପାଇଁ ଏକ ସମୟ ସୀମା ନିର୍ଦ୍ଧାରଣ କରିବାକୁ କୁହାଯାଇଛି। ଏହାକୁ ନେଇ ଷ୍ଟାଲିନ ମଧ୍ୟ ଅଣ-ଭାଜପା ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖିଥିଲେ। ତେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ଏବଂ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ମଧ୍ୟ ରାଜ୍ୟପାଳଙ୍କ ସମୟସୀମାକୁ ସମର୍ଥନ କରିଛନ୍ତି।

ଷ୍ଟାଲିନଙ୍କ ସହ ବାର୍ତ୍ତାଳାପ ବେଳେ ମମତା ବାନାର୍ଜୀ କହିଛନ୍ତ, ବିରୋଧୀ ଦଳର ମୁଖ୍ୟମନ୍ତ୍ରୀଙ୍କ ବୈଠକ ଡକାଯିବା ଉଚିତ୍‌। ଯାହା ଦ୍ୱାରା ପରବର୍ତ୍ତୀ ପଦକ୍ଷେପ ଉପରେ ଆଲୋଚନା ହୋଇପାରିବ। ନିକଟରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ମଧ୍ୟ ଷ୍ଟାଲିନ, ନୀତୀଶ କୁମାର ଏବଂ ଉଦ୍ଧବ ଠାକରେଙ୍କ ସମେତ ଅନେକ ନେତାଙ୍କ ସହ ବିରୋଧୀ ଦଳର ବୈଠକ ସମ୍ପର୍କରେ କଥା ହୋଇଥିଲେ।

Share