ପାଟନା,୨୬।୫: ବିହାରରେ ସ୍ବାସ୍ଥ୍ୟସେବା ଅତ୍ୟନ୍ତ ବିପର୍ଯ୍ୟୟ ଅବସ୍ଥାରେ ପଡ଼ି ରହିଛି। ସାମାନ୍ୟ ଚିକିତ୍ସା ଲାଗି ବି ଲୋକଙ୍କୁ ବହୁ ହଇରାଣ ହରକତ ହେବାକୁ ପଡ଼ୁଛି। ବର୍ତ୍ତମାନ ରାଜ୍ୟରେ କରୋନା ସ୍ଥିତି ଭଲ ନ ଥିବା ବେଳେ ଏହି ସମୟରେ ଭଲ ଚିକିତ୍ସା ଲାଗି ଲୋକଙ୍କୁ ହସ୍ପିଟାଲ ଉପରେ ନିର୍ଭର କରିବାକୁ ପଡ଼ୁଛି। ତେବେ ରାଜ୍ୟରେ ହସ୍ପିଟାଲ ଅଭାବରୁ ଲୋକମାନେ ଚିକିତ୍ସା ନ ପାଇ ମୃତ୍ୟୁମୁଖରେ ପଡ଼ୁଥିବା ଅଭିଯୋଗ ହୋଇଛି। ରାଜ୍ୟର ଏଭଳି ସ୍ଥିତି ଉପରେ ଚିନ୍ତା ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ କଲେଜର ବନ୍ଧୁ ନରେନ୍ଦ୍ର କୁମାର ସିଂହ। ପ୍ରଥମ ଥର ସେ ନିଜ ବନ୍ଧୁ ତଥା ମୁଖ୍ୟମନ୍ତ୍ରୀଙ୍କୁ ବହୁ ବର୍ଷ ଧରି ଗାଁରେ ବନ୍ଦ ପଡ଼ିଥିବା ସ୍ବାସ୍ଥ୍ୟକେନ୍ଦ୍ରକୁ ଚାଲୁ କରିବାକୁ ଅନୁରୋଧ କରିଛନ୍ତି। ସୂଚନାଯୋଗ୍ୟ, ବିହାର ଶହର୍ସାର ମେନା ଗାଁରେ ଥିବା ଏକ ସାମୁହିକ ସ୍ବାସ୍ଥ୍ୟକେନ୍ଦ୍ର ବହୁ ବର୍ଷ ଧରି ବନ୍ଦ ପଡ଼ିରହିଛି। ଏଠାରେ ନା ଡାକ୍ତର ଅଛନ୍ତି, ନା ନର୍ସ ନା ମିଳୁଛି ଔଷଧ। ଫଳରେ ଲୋକଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ତେବେ ଖଣ୍ଡର ହୋଇପଡ଼ିଥିବା ସ୍ବାସ୍ଥ୍ୟକେନ୍ଦ୍ରକୁ ପୁଣିଥରେ ଚାଲୁ କରିବାକୁ ନରେନ୍ଦ୍ର ସିଂହ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଏଥିସହ ବିହାରରେ ଯେତେ ବି ସ୍ବାସ୍ଥ୍ୟକେନ୍ଦ୍ର ରହିଛି ସେଗୁଡ଼ିକୁ ପୁଣି ଥରେ ଖୋଲାଯାଇ ଲୋକଙ୍କୁ ଭଲ ଚିକିତ୍ସା ଯୋଗାଇଦେବାକୁ ସେ ନୀତିଶଙ୍କୁ ଅପିଲ୍ କରିଛନ୍ତି।