Categories: ଜାତୀୟ

ଏନ୍‌ଡିଏ ସ୍ଥିର କରିବ କିଏ ହେବ ମୁଖ୍ୟମନ୍ତ୍ରୀ: ନୀତୀଶ

ପାଟନା,୧୩ ।୧୧: ବିହାର ବିଧାନସଭା ନିର୍ବାଚନର ଫଳାଫଳ ଆସିବା ପରେ ଗୁରୁବାର ପ୍ରଥମ କରି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଖବରଦାତାଙ୍କ ସହ କଥା ହୋଇଛନ୍ତି । ଜନତା ଦଳ ୟୁନାଇଟେଡ(ଜେଡିୟୁ) ପ୍ରଦେଶ କାର୍ଯ୍ୟାଳୟରେ ସେ ଖବରଦାତାଙ୍କ ସହ କଥା ହୋଇଛନ୍ତି । ଏହା ପୂର୍ବରୁ ନୀତୀଶ ନବନିର୍ବାଚିତ ବିଧାୟକ ଓ କର୍ମୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ତାଙ୍କ ମୁଖ୍ୟମନ୍ତ୍ରୀ ପଦକୁ ନେଇ ପ୍ରଶ୍ନ କରାଯିବାରୁ ସେ କହିଛନ୍ତି ଶୁକ୍ରବାର ହେବାକୁ ଥିବା ବୈଠକରେ ଏନ୍‌ଡିଏ ସ୍ଥିର କରିବ କିଏ ହେବ ବିହାରର ଆଗାମୀ ମୁଖ୍ୟମନ୍ତ୍ରୀ । ଏହାର ନିର୍ଣ୍ଣୟ କେବଳ ଏନ୍‌ଡିଏ ନେତା ନେବେ ବୋଲି ସେ କହିଛନ୍ତି । ଏନ୍‌ଡିଏ ଜନାଦେଶ ଆଧାରରେ ସରକାର ଗଠନ କରିବ । କିନ୍ତୁ ଏବେ ସୁଦ୍ଧା ଶପଥ ଗ୍ରହଣକୁ ନେଇ କୌଣସି ତାରିଖ ସ୍ଥିର କରାଯାଇ ନ ଥିବା ସେ ସ୍ପଷ୍ଟ କରିଛନ୍ତି । ତେବେ ଏନ୍‌ଡିଏରୁ ଅଲଗା ହୋଇଯାଇଥିବା ଲୋକ ଜନଶକ୍ତି(ଏଲ୍‌ଜେପି)ର ମୁଖ୍ୟ ଚିରାଗ ପାଶୱାନଙ୍କ ସମ୍ପର୍କରେ ପ୍ରଶ୍ନ କରାଯିବାରୁ ନୀତୀଶ କହିଥିଲେ ଭାରତୀୟ ଜନତା ପାର୍ଟି(ଭାଜପା) ସ୍ଥିର କରିବ ଯେ ଏନ୍‌ଡିଏରେ ଚିରାଗଙ୍କ ପାଇଁ ସ୍ଥାନ ରହିଛି ନା ନାହିଁ । ସୂଚନାଯୋଗ୍ୟ, ବିହାରରେ ଏନ୍‌ଡିଏ ସରକାର ଗଠନ କରିବା ପୂର୍ବରୁ ଶୁକ୍ରବାର ଏକ ବୈଠକର ଆୟୋଜନ କରିଛି ।

Share