Categories: ଜାତୀୟ

ଇମୋଶନାଲ କାର୍ଡ ଖେଳିଲେ ନୀତୀଶ: ବିରୋଧି କହିଲେ ଅବସର ସ୍ୱୀକାର କଲେ ମୁଖ୍ୟମନ୍ତ୍ରୀ

ପାଟନା,୬ ।୧୧: ବିହାର ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନକୁ ନେଇ କାଉଣ୍ଟଡାଉନ ଆରମ୍ଭ ହୋଇ ଗଲାଣି । ଆଉ ଏହାରି ଭିତରେ ପୁଣିଥରେ ରାଜନୀତି ହୋଇଛି ସରଗରମ । ବିହାର ମୁଖ୍ୟମନ୍ତୀ ନୀତୀଶ କୁମାର ଶେଷ ଦିନରେ ଇମୋଶନାଲ କାର୍ଡ ଖେଳିଥିବା କୁହାଯାଉଛି । ସେ ତାଙ୍କର ଶେଷ ନିର୍ବାଚନ ପ୍ରଚାର ରାଲିରେ ଭୋଟରଙ୍କୁ କହିଛନ୍ତି ଏହା ହେଉଛି ତାଙ୍କର ଶେଷ ନିର୍ବାଚନ ଆଉ ଶେଷ ଯଦି ଭଲ ହୁଏ ତେବେ ସବୁ ଭଲ ହେବ । ଏହାସହ ସେ ନିଜ ଦଳର ପ୍ରାର୍ଥୀଙ୍କ ପାଇଁ ଭୋଟ ବି ମାଗିଛନ୍ତି । ଏହା ଜାଣିବା ପରେ ଲୋକ ଜନଶକ୍ତି ପାର୍ଟି(ଏଲ୍‌ଜେପି) ଅଧ୍ୟକ୍ଷ ଚିରାଗ ପାଶୱ।।ନ କହିଛନ୍ତି, ଯିଏ ୫ ବର୍ଷର ହିସାବ ଦେଇ ପାରିଲେନି ଆଉ ଏବେ କହୁଛନ୍ତି ଆଗକୁ ମଧ୍ୟ ହିସାବ ଦେଇପାରିବେନି । ଏହାସହ ଯିଏ ପଡିଆ ଛାଡି ପଳାଇଲେଣି ତାଙ୍କ ଉପରେ କିଏବା ବିଶ୍ୱାସ କରିବ । ଅନ୍ୟପଟେ ରାଷ୍ଟ୍ରୀୟ ଜନତା ଦଳ(ଆର୍ ଜେଡି) ନେତା ତେଜସ୍ୱୀ ଯାଦବ କହିଛନ୍ତି ନୀତୀଶ ଥକି ପଡିଲେଣି । ତେଣୁ ସେ ଆଉ ଲୋକଙ୍କ ଭରସାଯୋଗ୍ୟ ହୋଇ ନାହାନ୍ତି । ସେପଟେ ବିରୋଧି କଂଗ୍ରେସ ବି ଏ କ୍ଷେତ୍ରରେ ପଛଘୁଞ୍ଚା ଦେଇନାହିଁ । କଂଗ୍ରେସ ମହାସଚିବ ରଣଦୀପ ସୁରଜେୱାଲା କହିଛନ୍ତି, ନୀତୀଶଙ୍କ ଏହି ଇମୋଶନାଲ କାର୍ଡ ଆଉ କାମ ଦେବନି । କାରଣ ଏମିତି କହି ସେ ନିଜର ଅବସର ସ୍ୱୀକାର କରିସାରିଛନ୍ତି । ତୃତିୟ ପର୍ଯ୍ୟାୟ ନିର୍ବାଚନ ନ ଆସୁଣୁ ନୀତୀଶ କହି ସାରିଲେଣି ଏହା ତାଙ୍କର ଶେଷ ନିର୍ବାଚନ । ତେଣୁ ଏଥିରୁ ସ୍ପଷ୍ଟ ହେଉଛି ଯେ ସେ ନିଜର ପରାଜୟ ସ୍ୱୀକାର କରି ନେଇଛନ୍ତି ।

Share