Categories: ଜାତୀୟ

ଯଦି ଏଥର ଯାଞ୍ଚରେ କିଛି ନ ମିଳିଲା, ତେବେ କ’ଣ ପ୍ରଧାନମନ୍ତ୍ରୀ ଇସ୍ତଫା ଦେବେ: କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୮।୯: ବାସଭବନ ନବୀକରଣ ମାମଲାରେ ସିବିଆଇ ତଦନ୍ତକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରିଛନ୍ତି। କେଜ୍‌ରିଓ୍ବାଲ କହିଛନ୍ତି, ଯଦି ଏଥର କିଛି ତଦନ୍ତରେ ନ ମିଳେ ତେବେ କ’ଣ ପ୍ରଧାନମନ୍ତ୍ରୀ ଇସ୍ତଫା ଦେବେ। ଏହା ପ୍ରଥମ ଘଟଣା ନୁହେଁ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ୫୦ରୁ ଅଧିକ ଯାଞ୍ଚ ହୋଇସାରିଛି, ହେଲେ କିଛି ମିଳିନାହିଁ। ଏଥର ଯାଞ୍ଚରେ ମଧ୍ୟ କିଛି ମିଳିବନି। ସେମାନେ କାମ କରନ୍ତି ନାହିଁ, ସେମାନେ କେବଳ ଭବିଷ୍ୟବାଣୀ କରନ୍ତି।

ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ବର୍ତ୍ତମାନ ସେମାନେ ମୁଖ୍ୟମନ୍ତ୍ରୀ ବାସଭବନରେ ସିବିଆଇ ତଦନ୍ତ ଆରମ୍ଭ କରିଦେଇଛନ୍ତି। ପ୍ରଧାନମନ୍ତ୍ରୀ ଡରୁଛନ୍ତି, ବାହାରକୁ ମଧ୍ୟ ତାଙ୍କ ଡର ସ୍ପଷ୍ଟ ଦେଖାଯାଉଛି। ମୋ ବିରୋଧରେ ଏ ପର୍ଯ୍ୟନ୍ତ ୫୦ରୁ ଅଧିକ ମାମଲାରେ ଯାଞ୍ଚ କରିସାରିଛନ୍ତି। ସ୍କୁଲ ନିର୍ମାଣରେ ଘୋଟାଲା, ମଦ ଘୋଟାଲା, ବିଜୁଳି ଘୋଟାଲା, ସଡ଼କ ଘୋଟାଲା, ପାଣି ଘୋଟାଲା, ବସ୍‌ ଘୋଟାଲାରେ ଯାଞ୍ଚ କରାଯାଇଛି। ଦୁନିଆରେ ସବୁଠାରୁ ବୋଧ ହୁଏ ମୋର ଯାଞ୍ଚ ହୋଇଛି। ହେଲେ ତାଙ୍କୁ କୌଣସି କ୍ଷେତ୍ରରେ କିଛି ମିଳିନାହିଁ। ଏଥିରେ ମଧ୍ୟ କିଛି ମିଳିବ ନାହିଁ। ଯେତେବେଳେ କିଛି ଭୁଲ ନ ଥାଏ ସେତେବେଳେ କଣ ମିଳିବ।

 

Share