ଭୁବନେଶ୍ୱର, ୧୯।୬: ଧାନ ଓ କପା ସହିତ ୧୪ଟି ଖରିଫ୍ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ପ୍ରସ୍ତାବ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି।
ଦେଶର କୃଷକ ଭାଇ ଭଉଣୀଙ୍କ ସାମୁହିକ ସ୍ବାର୍ଥ କୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀଙ୍କ ଏହି ନିଷ୍ପତ୍ତିକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ବାଗତ କରିବା ସହ ଧନ୍ୟବାଦ ଦେଇଛନ୍ତି। ଏହାଦ୍ବାରା ଓଡ଼ିଶାର କୃଷକ ମାନେ ବିଶେଷ ଭାବେ ଉପକୃତ ହେବେ ବୋଲି ସେ କହିଛନ୍ତି।
ବୁଧବାର କେନ୍ଦ୍ର ସରକାର ଧାନ, ରାଗି, ବାଜରା, ମକା, କପା ସମେତ ୧୪ ଖରିଫ ଫସଲର ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ବୃଦ୍ଧି କରିଛନ୍ତି। କେନ୍ଦ୍ର କ୍ୟାବିନେଟ ଏହାକୁ ଅନୁମୋଦନ କରିଥିବା ସୂଚନ ଦେଇଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।
ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ”କୃଷକ କଲ୍ୟାଣ ପାଇଁ ଅନେକ ନିଷ୍ପତ୍ତି ମାଧ୍ୟମରେ ପରିବର୍ତ୍ତନ ସହିତ ନିରନ୍ତରତା ଉପରେ ଧ୍ୟାନ ଦେଉଥିବାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ତୃତୀୟ କାର୍ଯ୍ୟକାଳ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆଜିର ଏହି ନିଷ୍ପତ୍ତି ସହିତ କୃଷକମାନେ ଏମଏସପି ଆକାରରେ ପ୍ରାୟ ୨ ଲକ୍ଷ କୋଟି ଟଙ୍କା ପାଇବେ। ଯାହା ପୂର୍ବ ସିଜିନ୍ ତୁଳନାରେ ୩୫,୦୦୦ କୋଟି ଟଙ୍କା ଅଧିକ।”