Categories: ଜାତୀୟ

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ତ୍ରିଭେନ୍ଦ୍ର ସିଂ ରାୱତ

ଡେରାଡୁନ,୯ ।୩: ଗତ ଚାରି ଦିନ ହେବ ଉତ୍ତରାଖଣ୍ଡ ରାଜନୀତିକୁ ନେଇ ଅନୁମାନ ଲଗାଯାଉଥିବା ବେଳେ ମଙ୍ଗଳବାର ସନ୍ଧ୍ୟାରେ ଏଥିରେ ଫୁଲଷ୍ଟପ୍ ଲାଗିଛି । ମୁଖ୍ୟମନ୍ତ୍ରୀ ପଦରୁ ତ୍ରିଭେନ୍ଦ୍ର ସିଂ ରାୱତ ଇସ୍ତଫା ପ୍ରଦାନ କରିଛନ୍ତି । ଅପରାହ୍ନ ପ୍ରାୟ ୪ଟା ସମୟରେ ସେ ରାଜଭବନ ପହଞ୍ଚି ରାଜ୍ୟପାଳ ବେବି ରାଣି ମୌର୍ଯ୍ୟଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ରାଜଭବନରୁ ଫେରି ରାୱତ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଗଣମାଧ୍ୟମ ସହ କଥା ହୋଇଛନ୍ତି । ପ୍ରଥମେ ସେ ନିଜ ଦଳର ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଦଳ ତାଙ୍କୁ ୪ ବର୍ଷ ପାଇଁ ଦେବଭୂମୀର ସେବା କରିବାକୁ ସୁଯୋଗ ଦେଇଥିବାରୁ ଏହା ମୋର ସୌଭାଗ୍ୟ । କେବଳ ଭାରତୀୟ ଜନତା ପାର୍ଟି(ଭାଜପା)ରେ ହିଁ ଏହା ସମ୍ଭବ ହୋଇଛି । ଗୋଟିଏ ଛୋଟ ଗାଁର ସେନା ପରିବାରରୁ ଆସିଥିବା କର୍ମୀ ଭାବେ ଦଳ ଏତେ ବଡ ସମ୍ମାନ ଦେବା ମୁଁ କେବେ ଭାବି ନ ଥିଲି । ଏବେ ଦଳ ଚିନ୍ତା କରିଛି କି ମୋ ସ୍ଥାନରେ ଆଉ କାହାକୁ ନେବାକୁ ତେଣୁ ଏବେ ଅନ୍ୟକୁ ସୁଯୋଗ ଦେବା ଠିକ୍ । ମୋ କାର୍ଯ୍ୟକାଳ ୪ ବର୍ଷ ପୂରଣ ହେବାକୁ ମାତ୍ର ୯ ଦିନ ବାକି ରହିଗଲା । ତଥାପି ମୁଁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଉଛି । ତେବେ ସେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ମହିଳାଙ୍କୁ ସ୍ୱରୋଜଗାର କରିବା, ପିଲାମାନଙ୍କ ଶିକ୍ଷାକୁ ଅଗ୍ରାଧିକାର ଦେବା ଓ କୃଷକଙ୍କ ଆୟକୁ ଦ୍ୱିଗୁଣ କରିବାକୁ ବହୁତ କାମ କରିଥିବା ପ୍ରକାଶ କରିଛନ୍ତି । ଦଳ ଯଦି ମୋଦେ ଏହି ସୁଯୋଗ ଦେଇ ନ ଥାଆନ୍ତା ତେବେ ମୁଁ କେବେ ଏହା କରିପାରି ନ ଥାଆନ୍ତି ବୋଲି ରାୱତ କହିଛନ୍ତି । ଯାହାଙ୍କୁ ବି ଏହି ସୁଯୋଗ ମିଳିବ ସେ ଏହାକୁ ଆଗକୁ ବଢାଇବେ ବୋଲି ରାୱତ କହିଛନ୍ତି । ତେବେ କାହିଁକି ସେ ମୁଖ୍ୟମନ୍ତ୍ରୀ ପଦ ଛାଡିଲେ ବୋଲି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଦଳ ଯେତେବେଳେ ନିଷ୍ପତ୍ତି ନିଏ ଏହା ସାମୁହିକ ବିଚାର ମାଧ୍ୟମରେ ନିଆଯାଏ ।

Share