Categories: ଜାତୀୟ

କ୍ଷମା ମାଗନ୍ତୁ ଅଖିଳେଶ: ଯୋଗୀ

ଲକ୍ଷ୍ନୌ,୧ ।୧୧: ମହମ୍ମଦ ଅଲି ଜିନ୍ନାଙ୍କୁ ପ୍ରଶଂସା କରି ଏବେ ଅଡୁଆରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ । ଏହାକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) ନେତା ଏବେ ଅଖିଳେଶଙ୍କୁ ଘେରିଛନ୍ତି । ସୋମବାର ମୁରାଦାବାଦରେ ପୋଲିସ ଏକାଡେମୀ ଦ୍ୱାରା ଆୟୋଜିତ ୮୬ ତମ ପୋଲିସ ଉପାଧ୍ୟକ୍ଷଙ୍କ ପାସିଙ୍ଗ ଆଉଟ୍ ପରେଡରେ ସାମିଲ ହୋଇ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଅଖିଳେଶ ଯାଦବ ଉତ୍ତର ପ୍ରଦେଶର ଜନତା ଓ ଦେସବାସୀଙ୍କ ପାଖରେ କ୍ଷମା ମାଗନ୍ତୁ । ଯୋଗୀ କହିଛନ୍ତି ଦେଶବାସୀ ବିଭାଜନକାରୀ ମାନସିକତା ଥିବା ଲୋକଙ୍କୁ କେବେ ସ୍ୱୀକାର କରିବେ ନାହିଁ । ଯୋଗୀ ଆହୁରି ମଧ୍ୟ କହିଛନ୍ତି, ଗତ ସରକାର ସମାଜକୁ ଭାଗ କରିବାରେ ବ୍ୟସ୍ତ ଥିଲେ । ଯେଉଁ ପ୍ରବୃତ୍ତି ଏପର୍ଯ୍ୟନ୍ତ ରହିଛି । ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାଷ୍ଟ୍ରକୁ ଯୋଡୁଥିବା ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ତୁଳନା ଜିନ୍ନାଙ୍କ ସହ କରୁଛନ୍ତି । ଯାହା ଅତ୍ୟନ୍ତ ଦୁଃଖଦାୟକ । ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଦେଶର ଏକତା ଓ ଅଖଣ୍ଡତାର ଶିଳ୍ପୀ ଥିଲେ । ତେଣୁ ତାଙ୍କୁ ଜିନ୍ନାଙ୍କ ସହ ତୁଳନା କରିବା ସମାଜବାଦୀ ପାଟିର ବିଭାଜନକାରୀ ମାନସିକତାକୁ ପଦାରେ ପକାଇଛି । ଯୋଗୀ କହିଛନ୍ତି ଅଖିଳେଶଙ୍କର ଏହା ତାଲିବାନି ମାନସିକତା । ଯାହା ସବୁବେଳେ ଭାଙ୍ଗିବାକୁ ପ୍ରୟାସ କରୁଛି ।

Share