Categories: ଜାତୀୟ

ଯୋଗୀଙ୍କ ଜନ୍ମଦିନ ପାଇଁ ପ୍ରବଳ ଉତ୍କଣ୍ଠା: କଟା ହେଲା ୫୦ କେଜିର କେକ୍‌

ନୂଆଦିଲ୍ଲୀ,୫।୬: ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ୫୦ତମ ଜନ୍ମଦିନ ହିନ୍ଦୁ ଯୁବ ବାହିନୀ ଏବଂ ବିଶ୍ୱ ହିନ୍ଦୁ ମହାସଙ୍ଗ ତରଫରୁ ଦିଲ୍ଲୀର କନ୍‌ଷ୍ଟିଚ୍ୟୁସନ୍‌ କ୍ଲବରେ ପାଳନ କରାଯାଇଛି। ଯୋଗୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇ ୫୦ କିଲୋର ଏକ କେକ୍‌ କଟାଯାଇଥିଲା। ଏହି କେକ୍‌ ଉପରେ ଏକ ବୁଲ୍‌ଡୋଜର ଫଟୋ ମଧ୍ୟ ଥିଲା। ଏହାସହ ୫୦ଟି ଦୀପ ଜଳାଯାଇଥିଲା ଏବଂ ଏକ ଯୋଗୀ ଗଛ ମଧ୍ୟ ଲଗାଯାଇଥିଲା।
ବିଶ୍ୱ ହିନ୍ଦୁ ମହାସଙ୍ଗର ଦିଲ୍ଲୀ ରାଜ୍ୟ ସଭାପତି ଦେବେନ୍ଦ୍ର ସିଂ କହିଛନ୍ତି ଯେ, ବାବା ଜୀ କେବଳ ବୁଲଡୋଜର କାରଣରୁ ଜଣାଶୁଣା। ଆଜି ସମସ୍ତ ରାଜ୍ୟରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ୟୁପିରେ ଗୁଣ୍ଡାରାଜ୍‌ ଶେଷ ହୋଇଛି, ରାସ୍ତା ଉନ୍ନତ ହୋଇଛି, ରାମ ମନ୍ଦିର ନିର୍ମାଣ ହେଉଛି। ସମସ୍ତ କାର୍ଯ୍ୟରେ ଆମେ ବହୁତ ଖୁସି। ଆମେ ଆଶା କରୁଛୁ ଦିନେ ସେ ପ୍ରଧାନମନ୍ତ୍ରୀ ହେବେ।
ସୂଚନାଯୋଗ୍ୟ, ଆଜି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଜନ୍ମଦିନ। ଏହି ଅବସରରେ ଅନେକ ଲୋକ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରାଷ୍ଟ୍ରପତି ରାମ ନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ରବିବାର ଯୋଗୀ ଆଦିତ୍ୟନାଥଙ୍କୁ ୫୦ତମ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି। ମାର୍ଚ୍ଚ ୨୫, ୨୦୨୨ରେ ସେ ଲଗାତର ଦ୍ୱିତୀୟ ଥର ପାଇଁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ। ଏଥର ସେ ଗୋରଖପୁର ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରି ରେକର୍ଡ ଭୋଟରେ ଜିତି ପ୍ରଥମ ଥର ପାଇଁ ବିଧାୟକ ହୋଇଛନ୍ତି।

 

Share