ମୁମ୍ବାଇ,୫।୧: ଉତ୍ତରପ୍ରଦେଶ ସରକାର ନିଜ ରାଜ୍ୟରେ ଶିଳ୍ପ ଆଣିବା ପାଇଁ ଜୋରସୋରରେ ଲାଗିପଡ଼ିଛନ୍ତି। ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୁମ୍ବାଇରେ ପହଞ୍ଚିଛନ୍ତି। ଯେଉଁଠାରେ ସେ ଲଗାତର ଭାବେ ଉଦ୍ୟୋଗପତିଙ୍କୁ ଭେଟୁଛନ୍ତି। ଗୁରୁବାର ଯୋଗୀ ଆଦିତ୍ୟନାଥ ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ ତଥା ଏମ୍ଡି ମୁକେଶ ଅମ୍ବାନୀଙ୍କୁ ଭେଟିଛନ୍ତି। ଦୁହିଁଙ୍କ ସାକ୍ଷାତକାର ତାଜ୍ ହୋଟେଲରେ ହୋଇଥିଲା। ସାକ୍ଷାତକାର ସମୟରେ ମୁକେଶ ଅମ୍ବାନୀ ମୁଖ୍ୟମନ୍ତ୍ରୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ଜଣାଇଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ଯୋଗୀ ମୁକେଶ ଅମ୍ବାନୀଙ୍କୁ ଉତ୍ତରପ୍ରଦେଶରେ ପୁଞ୍ଜି ବିନିଯୋଗ କରିବାକୁ ଆମନ୍ତ୍ରଣ କରିଥିଲେ। ରାଜ୍ୟରେ ପୁଞ୍ଜି ବିନିଯୋଗ ପାଇଁ ଲୋକଙ୍କୁ ବ୍ୟକ୍ତିଗତ ଭାବେ ନିବେଦନ କରିବାର ଆବଶ୍ୟକତା ରହିଛି ବୋଲି ଯୋଗୀ ଆଦିତ୍ୟନାଥ ନିଷ୍ପତ୍ତି ନେଇଥିଲେ ବୋଲି କହିଛନ୍ତି। ଏଥିପାଇଁ ସେ ମୁମ୍ବାଇ ପହଞ୍ଚିଛନ୍ତି ଏବଂ ଭଲ ଫଳାଫଳ ମଧ୍ୟ ମିଳିଛି। ନିବେଶକଙ୍କଠାରୁ ଆଶ୍ୱାସନା ମିଳିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।