କରୋନା ପାଇଁ ସିଏମ୍‌ସିର ଟୋଲ୍‌ ଫ୍ରି ନମ୍ବର ଜାରି

କଟକ ଅଫିସ, ୧୯ା୪:ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଏହାର ପ୍ରଭାବ କଟକ ଜିଲାରେ ଦେଖିବାକୁ ମିଳିଛି। ରବିବାର କଟକ ଜିଲାରୁ ମୋଟ୍‌ ୧୯୮ ଜଣ କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ସେହିପରି କଟକ ମହାନଗର ନିଗମ(ସିଏମ୍‌ସି) ଅଞ୍ଚଳରୁ ୧୦୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସିଏମ୍‌ସି ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ସେମାନଙ୍କ ମଧ୍ୟରୁ ୫୫ ଜଣ ଗୃହ ସଙ୍ଗରୋଧ, ୪୩ ଜଣ ଲୋକାଲ କଣ୍ଟାକ୍ଟ ଓ ୪ ଜଣ ସରକାରୀ ସଙ୍ଗରୋଧରେ ରହିଥିବା ଜଣାପଡିଛି। ଅପରପକ୍ଷେ କରୋନା ପାଇଁ ରବିବାର ସିଏମ୍‌ସି ପକ୍ଷରୁ ଟୋଲ୍‌ ଫ୍ରି ନମ୍ବର ୭୦୭୭୭୭୫୫୫୫ ଜାରି କରାଯାଇଛି। କୋଭିଡ୍‌ ସମ୍ପର୍କିତ ସହାୟତା ପାଇଁ ଏହି ନମ୍ବରରେ ଯୋଗାଯୋଗ କରିବାକୁ ସିଏମସି ପକ୍ଷରୁ ସୂଚନା ଦିଆଯାଇଛି। ରବିବାରକୁ ମିଶାଇ ସିଏମ୍‌ସି ଅଞ୍ଚଳରୁ ମୋଟ୍‌ ୧୭,୪୪୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୬, ୭୪୮ ଜଣ ଆରୋଗ୍ୟ ଲାଭ କରିଥିବା ଜଣାପଡିଛି। ଏବେ ସହରର ବିଭିନ୍ନ ହସ୍ପିଟାଲରେ ୬୪୮ ଜଣ ଚିକିତ୍ସାଧୀନ ଥିବା ସିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସହରରେ ନାଇଟ କର୍ଫ୍ୟୁ ସହ ୧୪୪ ଧାରା ଲାଗୁ କରାଯାଇଛି। ସହରରେ ସଂକ୍ରମଣ ବଢୁଥିବାରୁ ଶୁକ୍ରବାର ଅଶ୍ୱିନୀ ହସ୍ପିଟାଲରେ ସିଏମ୍‌ସି ପକ୍ଷରୁ ୭୫ଟି କରୋନା ଶର୍ଯ୍ୟା, ୬୦ଟି ଆଇସିୟୁ, ୧୫ଟି ଏଚ୍‌ଡିୟୁ ଓ ୧୦ଟି ସାଧାରଣ ଶର୍ଯ୍ୟାର ବ୍ୟବସ୍ଥା କରାଯାଇଛି। ସେହିପରି ସୋମବାର ସଦ୍‌ଗୁରୁ ହସ୍ପିଟାଲରେ ୧୩୦ କରୋନା ଶଯ୍ୟାର ବ୍ୟବସ୍ଥା କରାଯାଉଛି। ସେଥିମଧ୍ୟରେ ୩୦ଟି ଆଇସିୟୁ, ୬୦ ଏଚ୍‌ଡିୟୁ ଓ ୪୦ଟି ସାଧାରଣ ଶଯ୍ୟା ବ୍ୟବସ୍ଥା ସିଏମ୍‌ସି ପକ୍ଷରୁ କରାଯିବ ବୋଲି ଜିଲା କୋଭିଡ୍‌ ନୋଡାଲ ଅଧିକାରୀ ଉମେଶ ରାଏ ସୂଚନା ଦେଇଛନ୍ତି।

Share