ଫେକ୍‌ ନ୍ୟୁଜ ଜାଲରେ ସିଏମ୍‌ଓ ଟୁଇଟର ହ୍ୟାଣ୍ଡେଲ

ଭୁବନେଶ୍ୱର,୧୧। ୧୦(ବ୍ୟୁରୋ): ଓଡ଼ିଶାର ଗଞ୍ଜାମ ଜିଲା ଏବଂ ମୁମ୍ବାଇର ଧରାବୀ ବସ୍ତିର କୋଭିଡ୍‌-୧୯ ମୁକାବିଲାକୁ ଅକ୍ସଫୋର୍ଡ ୟୁନିଭର୍ସିଟି ପ୍ରଶଂସା କରିଥିବା ନେଇ ଗତ ୮ ତାରିଖରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମ୍‌ଓ) ଟୁଇଟର ହ୍ୟାଣ୍ଡେଲରେ ମଧ୍ୟ ଏହାକୁ ପୋଷ୍ଟ କରାଯାଇଥିଲା। ହେଲେ ଏହା ଏକ ଭିତ୍ତିହୀନ ଖବର ହୋଇଥିବାରୁ ତାହାକୁ ହଟାଇ ଦିଆଯାଇଥିଲା। ଏହା ଏକ ଅସତ୍ୟ ଖବର ଥିବା ନେଇ କେତେକ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି।
ଗତ ଗୁରୁବାର ବ୍ରିଟେନ୍‌ର ଅକ୍ସଫୋର୍ଡ ୟୁନିଭର୍ସିଟି ଏବଂ ଆମେରିକାର ନର୍ଥଇଷ୍ଟର୍ନ ୟୁନିଭର୍ସିଟି ଦ୍ୱାରା କରାଯାଇଥିବା ଅଧ୍ୟୟନ ଅନୁଯାୟୀ ଓଡ଼ିଶାର ଗଞ୍ଜାମ ଜିଲା ଓ ମୁମ୍ବାଇର ଧରାବୀ ବସ୍ତିର କୋଭିଡ୍‌ ନିୟନ୍ତ୍ରଣ ମଡେଲକୁ ପ୍ରଶଂସା କରାଯାଇଥିବାନେଇ ଏକ ସ୍ବଳ୍ପ ପ୍ରସାରିତ ଓ୍ବେବ୍‌ସାଇଟରେ ପ୍ରଥମେ ପ୍ରକାଶ ପାଇଥିଲା। ତେବେ ସମ୍ପୃକ୍ତ ଓ୍ବେବ୍‌ସାଇଟ ଅଧ୍ୟୟନ କିମ୍ବା ଖବରର ସୂତ୍ର ବିଷୟରେ କୌଣସି ଉଲ୍ଲେଖ କରି ନ ଥିଲା। ଏଭଳି ଭିତ୍ତିହୀନ ଖବରକୁ ଓଡ଼ିଶାର କେତେକ ଓ୍ବେବ୍‌ପୋର୍ଟାଲ ଓ ଖବରକାଗଜ ପ୍ରକାଶ କରିଥିଲେ। ଏହାକୁ ମଧ୍ୟ ସିଏମ୍‌ଓ ଟୁଇଟର ହ୍ୟାଣ୍ଡେଲରେ ପୋଷ୍ଟ କରାଯାଇଥିଲା। ଏହି ଖବରର ସତ୍ୟତାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ କରାଯାଇଥିଲା। ତେବେ ଏହାର କୌଣସି ଜବାବ ଦିଆ ନ ଯାଇ ସେହି ପୋଷ୍ଟକୁ ତୁରନ୍ତ ସିଏମ୍‌ଓ ଟୁଇଟର ହ୍ୟାଣ୍ଡେଲରୁ ହଟାଇ ଦିଆଯାଇଥିଲା।
ୟୁରୋପିଆନ କମିଶନ ଗ୍ଲୋବାଲ ହ୍ୟୁମାନ ସେଟଲମେଣ୍ଟ ଅର୍ବାନ ସେଣ୍ଟର ଡାଟାବେସ ଦ୍ୱାରା ପ୍ରକାଶିତ ‘କ୍ରାଉଡିଂ ଆଣ୍ଡ୍‌ ଶେପ୍‌ ଅଫ୍‌ କୋଭିଡ୍‌ ଏପିଡେମିକ୍ସ’ ଶୀର୍ଷକ ଏକ ନିବନ୍ଧରେ ଚାଇନାର କେତେକ ସହର, ଇଟାଲୀର କିଛି ପ୍ରଦେଶ ସହ ଜଳବାୟୁ ଓ ଜନସଂଖ୍ୟା ତଥ୍ୟ ଏବଂ କୋଭିଡ୍‌ -୧୯ ମୁକାବିଲାରେ ସ୍ଥାନୀୟ ହସ୍ତକ୍ଷେପ ତଥ୍ୟ ନିଆଯାଇଥିଲା। ତେବେ ସେଥିରେ ସାମିଲ ହୋଇଥିବା ୩୧୦ ସହର ମଧ୍ୟରେ ଗଞ୍ଜାମ ଜିଲା ସ୍ଥାନ ପାଇ ନଥିଲା। ହେଲେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଟୁଇଟର ହ୍ୟାଣ୍ଡେଲରୁ ମଧ୍ୟ ଅକ୍ସଫୋର୍ଡର ପ୍ରଶଂସାକୁ ନେଇ ଟୁଇଟ୍‌ କରାଯାଇଥିଲା।

Share