Categories: ଜାତୀୟ

ସିଏମ୍‌ଓଙ୍କ ଘରେ ଚଢ଼ାଉ: ମିଳିଲା ବିଡ଼ାବିଡ଼ା ଟଙ୍କା, ଅଳଙ୍କାର

ଭୋପାଳ, ୧୬।୯: ମଧ୍ୟପ୍ରଦେଶରେ ଜଣେ ମୁଖ୍ୟ ନଗରପାଳିକା ଅଧିକାରୀ(ସିଏମ୍‌ଓ) ଘରେ ଚଢ଼ାଉ ସମୟରେ ବିଡ଼ାବିଡ଼ା ଟଙ୍କା ଏବଂ ଅଳଙ୍କାର ଜବତ ହୋଇଛି। ପ୍ରାୟ ୩ କୋଟି ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଜବତ ହୋଇଥିବା କୁହାଯାଉଛି। ଆୟ ବହିର୍ଭୁତ ସମ୍ପତ୍ତି ଥିବା ଅଭିଯୋଗ ହେବାପରେ ଉଜ୍ଜୟିନୀ ଲୋକାୟୁକ୍ତ ପକ୍ଷରୁ ବଡ଼ନଗର ସିଏମ୍‌ଓ କୁଳଦୀପ୍‌ ଙ୍କିଶୁକଙ୍କ ଘରେ ଚଢ଼ାଉ କରାଯାଇଥିଲା। ଏକା ସମୟରେ କୁଳଦୀପ୍‌ଙ୍କ ୩ଟି ବାସଭବନରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ୩ ଲକ୍ଷ ନଗଦ ଟଙ୍କା, ୨୪ ଲକ୍ଷ ଟଙ୍କା ମୂଲ୍ୟର ଅଳଙ୍କାର, ୨ଟି କାର, ୪୦ ବ୍ୟାଙ୍କ ଖାତା ଜବତ କରାଯାଇଥିଲା। ୧୦ ଟି ବ୍ୟାଙ୍କ ଖାତାରେ କୋଟିଏରୁ ଅଧିକ ଟଙ୍କା ଜମା ରହିଥିବା ଜଣାପଡ଼ିଛି। କୁଳଦୀପ୍‌ଙ୍କର ୪ଟି ବିଳାସପୂର୍ଣ୍ଣ କୋଠା ଥିବାବେଳେ ବହୁ ସ୍ଥାବର ସମ୍ପତ୍ତି ଏବଂ ଏକ ନିର୍ମାଣ ଧୀନ ହୋଟେଲ ଥିବା ଚଢ଼ାଉକାରୀ ଦଳ ପକ୍ଷରୁ କୁହାଯାଇଛି। ୨୦୨୦ ଜୁନ୍‌ରେ କୁଳଦୀପ୍‌ଙ୍କ ବିରୋଧରେ ଅଭିଯୋଗ ମିଳିଥିଲା। ମାତ୍ର ୧୬ ବର୍ଷ ଚାକିରି କରି ତାଙ୍କ ପାଖରେ ବିପୁଳ ସମ୍ପତ୍ତି ଠୁଳ ହୋଇଥିବା ଅଭିଯୋଗ ହୋଇଥିଲା। ତାଙ୍କ ପିତା ଜଣେ ଖବର କାଗଜ ହକର ଥିଲେ। ସେହିପରି ଭାଇ ଜଣେ ଜଳଖିଆ ଦୋକାନୀ। ଏତେ ସମ୍ପତ୍ତି କୁଳଦୀପ୍‌ କିଭଳି ଜମା କଲେ ତାହାର ଯାଞ୍ଚ୍‌ ଜାରି ରହିଛି।

Share