ଲକ୍‌ଡାଉନ୍‌କୁ ମୁଖ୍ୟମନ୍ତ୍ରୀଙ୍କ ଭୟ: ଜାରି ହେଉଛି ଜନତା କର୍ଫ୍ୟୁ-କରୋନା କର୍ଫ୍ୟୁ…

ନୂଆଦିଲ୍ଲୀ,୧୪।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଏପରିସ୍ଥଳେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଲକ୍‌ଡାଉନ୍‌ ଘୋଷଣା କରିବାକୁ ପଛାଉଛନ୍ତି। ତେବେ ମହାରାଷ୍ଟ୍ର, ଦିଲ୍ଲୀ, ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରପ୍ରଦେଶ ଆଦି ରାଜ୍ୟ ସରକାର ଲକ୍‌ଡାଉନ୍‌ ଭଳି ବିଭିନ୍ନ କଟକଣା ଜାରି କରିଥିଲେ ମଧ୍ୟ ଏହାକୁ ଭିନ୍ନ ଭିନ୍ନ ନାମ ଦେଇଛନ୍ତି। ଫଳରେ ଏବେ କରୋନାର ନୂଆ ଷ୍ଟ୍ରେନ୍‌ ଭଳି ଲକ୍‌ଡାଉନ୍‌ର ମଧ୍ୟ ନୂଆ ରୂପ ସୃଷ୍ଟି ହେବାରେ ଲାଗିଛି। ମହାରାଷ୍ଟ୍ରରେ ସ୍ଥିତି ସଙ୍କଟ ଜନକ ରହିଥିବାବେଳେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ବ୍ରେକ୍‌ ଦି ଚେନ୍‌ ଘୋଷଣା କରିଛନ୍ତି। ଏଥିପାଇଁ ଲାଗୁ ହୋଇଥିବା କଟକଣା ଲକ୍‌ଡାଉନ୍‌ ସହିତ ସମାନ। ସେହିପରି ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ସରକାର ନାଇଟ୍‌ କର୍ଫ୍ୟୁ ଜାରି କରିଛନ୍ତି। ମଧ୍ୟପ୍ରଦେଶରେ କରୋନା କର୍ଫ୍ୟୁ ଘୋଷଣା କରାଯାଇ ବିଭିନ୍ନ କଟକଣା ଲାଗୁ ହୋଇଛି। ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ସରକାର ଜନତା କର୍ଫ୍ୟୁ ଘୋଷଣା କରିଛନ୍ତି। ସେହିପରି ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ପକ୍ଷରୁ ରାଜ୍ୟରେ କର୍ଫ୍ୟୁ ଜାରି କରାଯାଇଛି। ଲକ୍‌ଡାଉନ୍‌ ବିରୋଧରେ ଗତବର୍ଷ ସୃଷ୍ଟି ହୋଇଥିବା ବିଭିନ୍ନ ପ୍ରଶ୍ନ ଯୋଗୁୁ ଚଳିତ ବର୍ଷ ଏସବୁ ରାଜ୍ୟରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି।

Share