ନୂଆଦିଲ୍ଲୀ, ୭ା୪: ପ୍ରାକୃତିକ ବାଷ୍ପ ଦାମ୍ ନିର୍ଦ୍ଧାରଣ ଲାଗି ସରକାର ଏକ ନୂଆ ପଦ୍ଧତିକୁ ଅନୁମୋଦନ କରିଛନ୍ତି। ଉକ୍ତ ପଦ୍ଧତି ଅନୁଯାୟୀ ପୁରୁଣା ଗ୍ୟାସ୍ ଫିଲ୍ଡରୁ ଉତ୍ତୋଳନ ହେଉଥିବା ଏପିଏମ୍ ଗ୍ୟାସ୍ ଦର ଆମେରିକା, କାନାଡ଼ା, ରୁଷିଆ ଭଳି ବଳକା ରାଷ୍ଟ୍ରର ଗ୍ୟାସ୍ ମୂଲ୍ୟ ପରିବର୍ତ୍ତେ ଅଶୋଧିତ ତୈଳ ଦର ଅନୁଯାୟୀ ସ୍ଥିର କରାଯିବ। ଗୁରୁବାର କ୍ୟାବିନେଟ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଥିବା କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି। ଏହି ନିଷ୍ପତ୍ତି ଫଳରେ ପାଇପ୍ରେ ଯୋଗାଇ ଦିଆଯାଉଥିବା ପ୍ରାକୃତିକ ଗ୍ୟାସ୍ (ପିଏନ୍ଜି) ୧୦ ପ୍ରତିଶତ ଶସ୍ତା ହେବ। ସେହିପରି କମ୍ପ୍ରେସ୍ଡ ପ୍ରାକୃତିକ ଗ୍ୟାସ୍ (ସିଏନ୍ଜି) ମୂଲ୍ୟ ୬ରୁ ୯ ପ୍ରତିଶତ କମିବ ବୋଲି ତୈଳ ସଚିବ ପଙ୍କଜ ଜୈନ କହିଛନ୍ତି। ଏନେଇ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଶନିବାରଠାରୁ କାର୍ଯ୍ୟକାରୀ ହେବ।