ରାଜ୍ୟର ବିକାଶ ପାଇଁ ସମବାୟ ସବୁଠାରୁ ପ୍ରଭାବୀ ମାଧ୍ୟମ: ମନ୍ତ୍ରୀ

ଭୁବନେଶ୍ବର, ୧୨।୭(ସୁନିତ୍‌ ମିଶ୍ର): ଓଡ଼ିଶାର ସମବାୟ ବ୍ୟବସ୍ଥା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାକୁ ବଳିଷ୍ଠ ଓ ଋଦ୍ଧିମନ୍ତ କରିଛି। ରାଜ୍ୟର ସଫଳ ସମବାୟ ବ୍ୟବସ୍ଥା ଅନ୍ତର୍ଜାତୀୟ ଫୋରମରେ ଅନ୍ୟ ଦେଶଗୁଡିକ ଦ୍ବାରା ପ୍ରଶଂସିତ ହୋଇଛି। ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ୮ ଦିନିଆ ବେଲଜିୟମ ଗସ୍ତରେ ଯାଇ ଲିୟୁଭେନ୍‌ଠାରେ ଯୁଗ୍ମ ଆଇସିଏ-ସିସିଆର୍‌ ଗ୍ଲୋବାଲ ଓ ୟୁରୋପିୟାନ୍‌ ସମବାୟ ଗବେଷଣା ସମ୍ମିଳନୀରେ ଯୋଗ ଦେବା ଅବସରରେ ସେ ଏହା କହିଛନ୍ତି।
ଏହି ଅବସରରେ ଉଦ୍‌ବୋଧନ ଦେଇ ମନ୍ତ୍ରୀ ନାୟକ କହିଛନ୍ତି, ସମବାୟ କ୍ଷେତ୍ରରେ ନୂତନ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ଓଡ଼ିଶା ଦେଶର ଅନ୍ୟତମ ପ୍ରଗତିଶୀଳ ରାଜ୍ୟ। ରାଜ୍ୟର ସର୍ବାଙ୍ଗୀନ ବିକାଶ ପାଇଁ ସମବାୟ ହେଉଛି ସବୁଠାରୁ ପ୍ରଭାବୀ ମାଧ୍ୟମ। ବିଶେଷକରି ଆର୍ଥିକ ଦୁର୍ବଳ ଶ୍ରେଣୀ, ଅବହେଳିତ ଓ ବଞ୍ଚିତ ବର୍ଗର ଲୋକଙ୍କ ଉନ୍ନତି ପାଇଁ ଏହା ବିଶେଷ ଫଳପ୍ରଦ। ରାଜ୍ୟରେ ଥିବା ପ୍ୟାକ୍‌ସ ଓ ଲ୍ୟାମ୍ପ୍ସ ଚାଷୀମାନଙ୍କ କୃଷି ଉତ୍ପାଦକୁ ମାର୍କେଟିଂ ସୁବିଧା ଯୋଗାଇଦେବା ପାଇଁ ଅଭିପ୍ରେତ। ଏଗୁଡ଼ିକ କେନ୍ଦ୍ର ସରକାରଙ୍କ ଘୋଷିତ ସର୍ବନିମ୍ନ ସହାୟକ ମୂଲ୍ୟରେ ଚାଷୀଙ୍କଠାରୁ ଧାନ କ୍ରୟ କରିଥାଆନ୍ତି। ରାଜ୍ୟ ସରକାରଙ୍କ ପ୍ରାଇସ୍‌ ସପୋର୍ଟ ଯୋଜନା ମାଧ୍ୟମରେ ସେମାନେ ଧାନ ବିକ୍ରୟରେ ସହାୟତା ଯୋଗାଇ ଦେଇଥାନ୍ତି। ଏଗୁଡ଼ିକ ଯୋଗୁ ଡାଲି ଜାତୀୟ ଫସଲ ଓ ତୈଳବୀଜ ଆଦି କୃଷି ଉତ୍ପାଦଗୁଡିକ ସର୍ବନିମ୍ନ ସହାୟକ ମୂଲ୍ୟଠାରୁ ଅଧିକ ଦରରେ ବିକ୍ରୟ ହୋଇପାରୁଛି। ଖାଦ୍ୟଶସ୍ୟ କ୍ଷେତ୍ରରେ ବର୍ତ୍ତମାନ ଓଡ଼ିଶା ଦେଶର ଏକ ବଳକା ରାଜ୍ୟରେ ପରିଣତ ହୋଇଛି। ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ ପକ୍ଷରୁ ଓଡ଼ିଶା ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନା ଓ ପ୍ରୟାସକୁ ପ୍ରଶଂସା କରାଯାଇଛି। ଖାଦ୍ୟ ସଂଗ୍ରହ ଓ ଖାଦ୍ୟ ସୁରକ୍ଷା ପ୍ରଣାଳୀ କ୍ଷେତ୍ରରେ ସମବାୟର ସଦୁପଯୋଗ ଆମ ରାଜ୍ୟର ଏକ ଅନନ୍ୟ ବ୍ୟବସ୍ଥା ବୋଲି ମନ୍ତ୍ରୀ ନାୟକ କହିଛନ୍ତି। ସୂଚନାଯୋଗ୍ୟ, ଗତ ୧୦ ରୁ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଏହି ସମ୍ମିଳନୀ ବେଲଜିୟମର ଲିୟୁଭେନ୍‌ ଠାରେ ଅନୁଷ୍ଠିତ ହେଉଛି। ଏହା ଲିୟୁଭେନ୍‌ ସେଣ୍ଟର ଅଫ୍‌ ଏକ୍ସପର୍ଟାଇଜ ଫର୍‌ କୋଅପରେଟିଭ ଏଣ୍ଟ୍ରେପ୍ରେନ୍ୟୁରଶିପ୍‌ ଦ୍ବାରା ଆୟୋଜିତ ହୋଇଛି।

Share