ଲାଞ୍ଚ ନେଇ ଧରାପଡ଼ିଲେ ସମବାୟ ସମିତି ସମ୍ପାଦକ

ଭଦ୍ରକ ଅଫିସ,୧୪।୩: ଭଦ୍ରକ ଜିଲା ଚଣ୍ଡୀଗାଁ ସେବା ସମବାୟ ସମିତି ସମ୍ପାଦକ ତପନ କୁମାର ନାୟକ ସୋମବାର ରାତିରେ ଜଣେ ଚାଷୀଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହୋଇଛନ୍ତି। ସୂଚନା ଅନୁଯାୟୀ, ଚଣ୍ଡୀଗାଁ ପଞ୍ଚାୟତର ଚାଷୀ ଶ୍ରୀଧର ସାମଲଙ୍କଠାରୁ ଧାନ ବିକ୍ରି ନିମନ୍ତେ ଆଖି ସ୍କାନ କରାଇବା ପାଇଁ ତପନ ଲାଞ୍ଚ ମାଗିଥିଲେ। ଶ୍ରୀଧର ଏ ସମ୍ପର୍କରେ ଭିଜିଲାନ୍ସକୁ ଜଣାଇବା ପରେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଚରମ୍ପା ଏରେଇଁସ୍ଥିତ ତାଙ୍କ ଘରେ ତପନଙ୍କୁ ୯ ହଜାର ଟଙ୍କା ଲାଞ୍ଚ ଦେଉଥିବା ବେଳେ ଭିଜିଲାନ୍ସ ମାଡ଼ି ବସିଥିଲା। ଭଦ୍ରକ ଭିଜିଲାନ୍ସ ଡିଏସ୍‌ପି ଏସ୍‌. କେ. ସାମନ୍ତରାୟ ଓ ଆଇଆଇସି ସୁଲୋଚନା ନାୟକଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇଥିଲା। ଏନେଇ ଏକ ମାମଲା (ନଂ.୫/୨୩) ରୁଜୁ କରାଯାଇ ତପନଙ୍କୁ କୋର୍ଟଚାଲାଣ କରାଯାଇଛି।