Categories: ଖେଳ

କୋଚ୍‌ କହିଥିଲେ, କାମରେ ଦେଖାଇଲେ

ଭୁବନେଶ୍ୱର, ୫।୯ (ତପନ ସ୍ବାଇଁ): ଅଲ୍‌ଟିମେଟ ଖୋ ଖୋ ଲିଗ୍‌ର ସର୍ବପ୍ରଥମ ସଂସ୍କରଣରେ ଭୁବନେଶ୍ୱର ଭିତ୍ତିକ ଫ୍ରାଞ୍ଚାଇଜ୍‌ ଓଡ଼ିଶା ଜଗରନଟ୍ସ ଚାମ୍ପିୟନ ହୋଇଛି। ସୂରଜ ଲାଣ୍ଡେଙ୍କ ଶେଷ ମୁହୂର୍ତ୍ତ ସ୍କାଏ ଡାଇଭ୍‌ ବଳରେ ଓଡ଼ିଶା ଦଳ ମାତ୍ର ୧ ପଏଣ୍ଟରେ ତେଲ୍‌ଗୁ ଯୋଦ୍ଧାସକୁ ପରାସ୍ତ କରିଛି। କିଛିଦିନ ତଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଗଣମାଧ୍ୟମ ପ୍ରତିନିଧି ଦଳ ପ୍ରତିଯୋଗିତାର ଭେନ୍ୟୁସ୍ଥଳ ପୁଣେର ମହାଲୁଙ୍ଗେସ୍ଥିତ ଶ୍ରୀ ଶିବ ଛତ୍ରପତି ସ୍ପୋଟର୍‌ସ କମ୍ପ୍ଲେକ୍ସ ଯାତ୍ରା କରିଥିଲା । ସେଠାରେ ଅଗଷ୍ଟ ୩୦ ଓ ୩୧ରେ ଜଗରନଟ୍ସର ୨ଟି ଶେଷ ଲିଗ୍‌ ମ୍ୟାଚ କଭରେଜର ସୁଯୋଗ ମିଳିଥିଲା। ଦୁର୍ଭଗ୍ୟ ବଶତଃ ଏହି ଦୁଇଟି ମ୍ୟାଚରେ ଓଡ଼ିଶା ଦଳ ଯଥାକ୍ରମେ ମୁମ୍ବାଇ ଖିଲାଡିଜ୍‌ ଓ ତେଲ୍‌ଗୁ ଯୋଦ୍ଧାସଠାରୁ ହାରି ଯାଇଥିଲା। ମ୍ୟାଚ ପରବର୍ତ୍ତୀ ଖବରଦାତା ସମ୍ମିଳନୀପରେ ଏହି ପ୍ରତିନିଧି ସହ କଥା ହେବାବେଳେ ଦୁଃଖ ପ୍ରକାଶ କରିଥିଲେ ମୁଖ୍ୟ କୋଚ୍‌ ଅଶ୍ୱିନ କୁମାର ଶର୍ମା। ” ଆପଣ ଯେଉଁ ୨ଟି ମ୍ୟାଚ ପାଇଁ ଏଠାକୁ ଆସିଲେ ସେଥିରେ ମୁଁ ଶ୍ରେଷ୍ଠ ଦଳକୁ ଖେଳାଇ ପାରିଲି ନାହିଁ। ଆମେ ପଏଣ୍ଟ ଟେବୁଲର ଶୀର୍ଷ ୨ ଦଳରେ ମଧ୍ୟରେ ରହି ପ୍ଲେ-ଅଫ୍‌ ଖେଳିବା ସ୍ପଷ୍ଟ ହୋଇଯାଇଥିବାରୁ ରିଜର୍ଭ ଖେଳାଳିଙ୍କୁ ପରୀକ୍ଷା ନିରୀକ୍ଷା କରିବା ଜରୁରୀ ଥିଲା। ଫଳରେ ଆପଣମାନେ ୨ଟି ହାରିବା ମ୍ୟାଚ ଦେଖି ଫେରିଲେ। ଏଥିପାଇଁ ମୋତେ ମଧ୍ୟ ଦୁଃଖ ଲାଗୁଛି। ଆଉ ଗୋଟିଏ ମ୍ୟାଚ ପାଇଁ ଅପେକ୍ଷା କରନ୍ତୁ, ଓଡ଼ିଶା ଦଳ କିପରି ଖେଳୁଛି ଦେଖିବେ। ଆମେ ନିଶ୍ଚିତ ପରବର୍ତ୍ତୀ ମ୍ୟାଚ ଗୁଡ଼ିକ ଜିତି ଚାମ୍ପିୟନ ହୋଇଫେରିବୁ“ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ ଦୂରଦ୍ରଷ୍ଟା କୋଚ୍‌ ଅଶ୍ୱିନ। ଏବେ ସେ ତାହାକୁ କାମରେ କରି ଦେଖାଇଛନ୍ତି। ମ୍ୟାଚ ଶେଷ ହେବାପାଇଁ ୧୪ ସେକେଣ୍ଡ ବାକି ଥିବାବେଳେ ଓଡ଼ିଶା ଦଳ ପଛରେ ରହିଥିଲେ ହେଁ ଲାନ୍‌ଡେଙ୍କ ସ୍କାଏ ଡାଇଭ୍‌ରୁ ୩ ପଏଣ୍ଟ ତେଲ୍‌ଗୁ ଯୋଦ୍ଧାସ ହାତରୁ ମ୍ୟାଚ ଛଡ଼ାଇ ଆଣିଥିଲା ଏବଂ ଓଡ଼ିଶା ଜଗରନଟ୍ସ ପିନ୍ଧିଥିଲା ବିଜୟ ମୁକୁଟ।

Share