କୋଚିଂ ବନ୍ଦ, ବେରୋଜଗାର ଯୁବପିଢ଼ି

କଟକ ଅଫିସ,୧୨।୭: କରୋନା ଯୋଗୁ ଶିକ୍ଷାକ୍ଷେତ୍ର ଭୀଷଣ ପ୍ରଭାବିତ ହୋଇଛି। ଶିକ୍ଷାନୁଷ୍ଠାନ ବନ୍ଦ ଥିବା ବେଳେ ପୂର୍ବ ବର୍ଷର ପରୀକ୍ଷା ହୋଇପାରି ନାହିଁ କିମ୍ବା ନୂତନ ଶିକ୍ଷାବର୍ଷର ପାଠପଢ଼ା ଆରମ୍ଭ ହେବା ନେଇ ଏବେ ବି ଦ୍ୱନ୍ଦ୍ୱ ଲାଗି ରହିଛି। ଏଭଳି ସ୍ଥିତିରେ ବେଶୀ କ୍ଷତିଗ୍ରସ୍ତ ହୋଇଛି ଘରୋଇ କୋଚିଂ ସେଣ୍ଟର। ଏଠାରେ ପାଠ ପଢ଼ାଇ ସ୍ବାବଲମ୍ବୀ ହୋଇଥିବା ଯୁବପିଢ଼ି ଏବେ ବେରୋଜଗାର।

କଟକ ସହରରେ ୨ଶହରୁ ଉର୍ଦ୍ଧ୍ୱ ଘରୋଇ କୋଚିଂ ସେଣ୍ଟର ରହିଛି। ଏଠାରେ କାର୍ଯ୍ୟ କରୁଥିବା ଶିକ୍ଷକ ଓ କର୍ମଚାରୀ ଏବେ କରୋନା ପାଇଁ ରୋଜଗାର ହରାଇ ବସିଛନ୍ତି। ଦୀର୍ଘ ୫ ମାସ ହେବ ସେଣ୍ଟର ବନ୍ଦ ରହିଛି। ଶିକ୍ଷକ, କର୍ମଚାରୀଙ୍କ ବ୍ୟତୀତ କୋଚିଂ ସେଣ୍ଟର ମାଲିକଙ୍କ ଅବସ୍ଥା ମଧ୍ୟ ଶୋଚନୀୟ ହୋଇପଡ଼ିଲାଣି। କାର୍ଯ୍ୟରତ କର୍ମଚାରୀ ଓ ଶିକ୍ଷକଙ୍କ ଦରମା ଦେବା ପାଇଁ ସେମାନଙ୍କୁ ଭୀଷଣ ସମସ୍ୟା ହେଉଛି। କେତେକ ସେଣ୍ଟର ମାଲିକ ଅଧା ଦରମା ଦେଉଥିବା ବେଳେ ଅନ୍ୟ କେତେଜଣ ସମ୍ପୂର୍ଣ୍ଣ ଦରମା ଦେବାକୁ ମନା କରୁଛନ୍ତି। ସାଧାରଣତଃ ଉଚ୍ଚଶିକ୍ଷିତ ଯୁବପିଢ଼ି କୌଣସି ସରକାରୀ ଚାକିରି ନ ପାଇ ଘରୋଇ କୋଚିଂ ସେଣ୍ଟରରେ ଶିକ୍ଷାଦାନ କରିଥାନ୍ତି। ବିଷୟଭିତ୍ତିକ କ୍ଲାସ ଅନୁସାରେ ସେମାନେ ଦରମା ପାଇଥାନ୍ତି। ହେଲେ କରୋନା ଯୋଗୁ କ୍ଲାସ ବନ୍ଦ ରହିଛି। ମାଲିକମାନେ ବି ଘରଭଡ଼ା ଦେବା ପାଇଁ ନିଜକୁ ଅସମର୍ଥ ମଣିଲେଣି। ସେଣ୍ଟର ଖୋଲିବା ପାଇଁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ପିଲାଙ୍କ ସ୍ବାସ୍ଥ୍ୟଗତ ନିରାପତ୍ତା ଦୃଷ୍ଟିରୁ ସରକାର ଏଯାଏ କିଛି ପଦକ୍ଷେପ ନେଇନାହାନ୍ତି।

Share