Categories: ଜାତୀୟ

କୋଇଲା ବ୍ଲକ ଆବଣ୍ଟନ ଦୁର୍ନୀତି: ଦିଲ୍ଲୀପ ରାୟ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ, ୬।୧୦: କୋଇଲା ବ୍ଲକ ଆବଣ୍ଟନ ଦୁର୍ନୀତିରେ ପୂର୍ବତନ କେନ୍ଦ୍ର କୋଇଲା ରାଷ୍ଟ୍ରମନ୍ତ୍ରୀ ଦିଲ୍ଲୀପ ରାୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ୧୯୯୯ରେ କୋଇଲା ବ୍ଲକ ଆବଣ୍ଟନରେ ଅନିୟମିତତା ହୋଇଥିବା ଅଭିଯୋଗରେ ଦିଲ୍ଲୀର ସ୍ପେଶାଲ କୋର୍ଟ ବିଚାରପତି ଭାରତ ପରାଶର ଦିଲ୍ଲୀପଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ୨୧ ବର୍ଷ ତଳେ ଝାଡଖଣ୍ଡର ବ୍ରହ୍ମାଡିଆ କୋଇଲା ଖଣି କାଷ୍ଟର୍ଣ୍ଣ ଟେକ୍ନୋଲୋଜି ଲିମିଟେଡକୁ ଆବଣ୍ଟିତ କରାଯାଇଥିଲା ସେତେବେଳେ କୋଇଲା ବ୍ଲକ ଆବଣ୍ଟନରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା। ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ସିବିଆଇ ପକ୍ଷରୁ ଏହି ମାମଲାର ତଦନ୍ତ କରାଯିବା ସହିତ କୋର୍ଟରେ ଆବଶ୍ୟକ ତଥ୍ୟ ଉପସ୍ଥାପନ କରାଯାଇଥିଲା । ଦିଲ୍ଲୀପଙ୍କ ସମେତ କୋଇଲା ମନ୍ତ୍ରଣାଳୟର ତତ୍କାଳୀନ ଦୁଇ ବରିଷ୍ଠ ଅଧିକାରୀ ପ୍ରଦୀପ କୁମାର ବାନାର୍ଜୀ ଓ ନିତ୍ୟାନନ୍ଦ ଗୌତମଙ୍କ ସହ କାଷ୍ଟ୍ରନ ଟେକ୍ନୋଲୋଜି ଲିମିଟେଡର ନିର୍ଦ୍ଦେଶକ ମହେନ୍ଦ୍ର କୁମାର ଅଗ୍ରୱାଲଙ୍କୁ ମଧ୍ୟ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି। ସୂଚନାଯୋଗ୍ୟ, ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଏନଡିଏ ସରକାରରେ ଦିଲ୍ଲୀପ କୋଇଲା ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ସେତେବେଳେ ପ୍ରଦୀପ କୁମାର ବାନାର୍ଜୀ କୋଇଲା ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଓ ପ୍ରକଳ୍ପ ପରାମର୍ଶଦାତା ଭାବେ ଅବସ୍ଥାପିତଥିଲେ।

Share