ନୂଆଦିଲ୍ଲୀ,୧୯ ।୬: ରୁଷିଆ ରାଜଧାନୀ ମସ୍କୋ ଉପରେ ଲାଗିଥିବା ବୈଶ୍ୱିକ କଟକଣା ସତ୍ତ୍ୱେ ଚଳିତ ସପ୍ତାହରେ ଭାରତର ରୁଷୀୟ କୋଇଲା ଆମଦାନୀରେ ବୃଦ୍ଧି ଘଟିଥିବା କିଛି ବ୍ୟବସାୟିକ ଉତ୍ସ ଏବଂ ରଏଟର୍ସ ତଥ୍ୟରୁ ଜଣାଯାଇଛି। କୋଇଲାର ବ୍ୟବସାୟିକ ମୂଲ୍ୟରେ ୩୦% ପର୍ଯ୍ୟନ୍ତ ହ୍ରାସ ଘଟିଥିବା କାରଣରୁ ଭାରତ ରୁଷିଆଠାରୁ କୋଇଲା କ୍ରୟ ପାଇଁ ଅଧିକ ଆଗ୍ରହୀ ଥିଲା। ୟୁକ୍ରେନ୍ ଉପରେ ଆକ୍ରମଣ ପରେ ରୁଷିଆ ଉପରେ ପାଶ୍ଚାତ୍ୟ ଦେଶଗୁଡ଼ିକ କଟକଣା ଲଗାଇଛନ୍ତି। ଏହାସତ୍ତ୍ୱେ ରୁଷିଆ ଅନ୍ୟାନ୍ୟ ୟୁରୋପୀୟ ଦେଶଗୁଡ଼ିକୁ ଚେତାବନୀ ଦେଇ କହିଥିଲା, ବିଭିନ୍ନ ରୁଷୀୟ ମାଲ୍କୁ ଅନ୍ୟ ବଜାରକୁ ରପ୍ତାନି କରାଯିବ। ଭାରତ ସରକାରଙ୍କ ଅନୁସାରେ ଯୁଦ୍ଧ ବନ୍ଦ ହେବା ପରେ ଅଚାନକ ଦରବୃଦ୍ଧି ଦ୍ୱାରା ଘରୋଇ ଉପଭୋକ୍ତା ଚାପରେ ରହିବେ। ତେଣୁ ବିବିଧ ଯୋଗାଣକୁ ଅଗ୍ରାଧିକାର ଦେବା ପାଇଁ ଭାରତ ରୁଷିଆଠାରୁ ଏକାଧିକ ପ୍ରକାର ସାମଗ୍ରୀ କ୍ରୟ କରିଥିଲା। ଆମେରିକା ସରକାରଙ୍କ କହିବା ମୁତାବକ, ରୁଷିଆଠାରୁ ଶକ୍ତି ଆମଦାନୀ ଉପରେ କୌଣସି ପ୍ରତିବନ୍ଧକ ନାହିଁ। ଏହା ସତ୍ତ୍ୱେ ୟୁରୋପୀୟ ଦେଶଗୁଡ଼ିକ ରୁଷିଆ ସହିତ ବାଣିଜି୍ୟକ କାରବାର ରଖିବାକୁ ଚାହୁଁନାହାନ୍ତି। ରଏଟର୍ସ ପ୍ରକାଶିତ ତଥ୍ୟ ଅନୁସାରେ, ରୁଷିଆଠାରୁ ଭାରତର କୋଇଲା ଏବଂ ତତ୍ସମ୍ବନ୍ଧିତ ଉତ୍ପାଦର ଆମଦାନୀ ବୁଧବାର ଶେଷ ହୋଇଥିବା ୨୦ ଦିନ ମଧ୍ୟରେ ଦେଶର ପୂର୍ବ ବର୍ଷର ସମାନ ଅବଧି ଅପେକ୍ଷା ୬ଗୁଣା ବୃଦ୍ଧି ପାଇ ୩୩୧.୧୭ ମିଲିୟନ ଡଲାରରେ ପହଞ୍ଚିଛି। ଏହାଛଡ଼ା ଭାରତୀୟ ରିଫାଇନୋରଗୁଡ଼ିକ ରୁଷିଆଠାରୁ ରିହାତିରେ ମିଳୁଥିବା ଅଶୋଧିତ ତୈଳ ମଧ୍ୟ କ୍ରୟ କରିଛନ୍ତି। ଫଳରେ ବୁଧବାର ଶେଷ ହୋଇଥିବା ୨୦ ଦିନ ମଧ୍ୟରେ ରୁଷିଆ ସହ ଭାରତର ତୈଳ ବ୍ୟବସାୟ ମୂଲ୍ୟ ୩୧ ଗୁଣାରୁ ଅଧିକ ବୃଦ୍ଧି ପାଇ ୨.୨୨ ବିଲିୟନ ଡଲାରରେ ପହଞ୍ଚିଛି। ଭାରତ ବୁଧବାର ଶେଷ ହୋଇଥିବା ୩ ସପ୍ତାହ ମଧ୍ୟରେ ହାରାହାରି ୧୬.୫୫ ମିଲିୟନ ଡଲାରର ରୁଷୀୟ କୋଇଲା କ୍ରୟ କରିଛି। ଭଲ ରିହାତି ଥିବା କାରଣରୁ ରୁଷିଆ ସହ ଭାରତର କାରବାର ଜାରି ରହିବ ବୋଲି ରଏଟର୍ସ ତଥ୍ୟରୁ ଜଣାଯାଇଛି।