Advertisement

କୋଇଲା ଖଣିରେ ବନ୍ୟାପାଣି: ୩ ମୃତ

ଗୁଆହାଟୀ,୮।୧: ଆସାମର ଦିମା ହସାଓ ଜିଲା ଉମ୍ରାଙ୍ଗସା ଅଞ୍ଚଳରେ ଥିବା କୋଇଲା ଖଣିରେ ସୋମବାର ଅଚାନକ ବନ୍ୟାପାଣି ପଶିଯିବାରୁ ଏହା ଭିତରେ ଥିତ୍ବା ଶ୍ରମିକମାନେ ବାହାରି ନ ପାରି ଫସି ରହିଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ମୃତଦେହ ମଙ୍ଗଳବାର ମିଳିଥିବାବେଳେ ନିଖୋଜ ଥିବା ଅନ୍ୟ ୬ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ୩୦୦ ଫୁଟ୍‌ ଗଭୀରର ଏହି ‘ର଼୍ୟାଟ୍‌ ହୋଲ୍‌’ ଖଣିର ୧୦୦ ମିଟର ପର୍ଯ୍ୟନ୍ତ ପାଣିରେ ବୁଡ଼ିଯାଇଥିବା ଜଣାପଡ଼ିଛି। ଉଦ୍ଧାର କାର୍ଯ୍ୟରେ ୩୦ ଜଣିଆ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ସହ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବଳ (ଏସ୍‌ଡିଆର୍‌ଏଫ୍‌)ର ୮ କର୍ମଚାରୀ ନିୟୋଜିତ ହୋଇଛନ୍ତି। ସ୍ଥଳ ଓ ବାୟୁସେନା ଯବାନ ଉଦ୍ଧାର କାର୍ଯ୍ୟରେ ସାମିଲ ଥିବାବେଳେ ବିଶାଖାପାଟଣାରୁ ନୌସେନାର ବୁଡ଼ାଳିମାନେ ଆସି ପହଞ୍ଚତ୍ଛନ୍ତି।
କୋଇଲା ଖଣିଟି ବେଆଇନ ଭାବରେ ଚାଲିଥିଲା ବୋଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି। ଏନେଇ ଖଣି ଓ ଖଣିଜ ଆଇନ, ୧୯୫୭ର ଆନୁଷଙ୍ଗିକ ଧାରା ଅନୁଯାୟୀ ତଦନ୍ତ ପାଇଁ ମାମଲା ରୁଜୁ ହୋଇଛି। ମାମଲା ସହ ସମ୍ପୃକ୍ତ ପୁନିଶ ନୁନିସାଙ୍କୁ ଗିରଫ କରାଯାଇଛି। ୧୫ ଜଣ ଶ୍ରମିକ ଫସିଥିବା ପ୍ରଥମେ କୁହାଯାଉଥିବାବେଳେ, ଖଣି କର୍ମଚାରୀମାନେ ଫସିଥିବା ୯ ଶ୍ରମିକଙ୍କ ନାଁ ଦେଇଥିଲେ। ଉଦ୍ଧାର କାର୍ଯ୍ୟ ପାଇଁ ସେନା ଏବଂ ଆସାମ ରାଇଫଲ୍ସର ବିଶେଷଜ୍ଞ ବୁଡ଼ାଳି, ଇଞ୍ଜିନିୟର, ମେଡିକାଲ ଟିମ୍‌ ଓ ସହକାରୀ କର୍ମଚାରୀମାନେ ଆବଶ୍ୟକ ଉପକରଣ ସହ ଉପସ୍ଥିତ ରହିଥିବା ଗୁଆହାଟୀର ପ୍ରତିରକ୍ଷା ମୁଖପାତ୍ର ଲ୍ୟୁଟ୍‌ନାଣ୍ଟ କଲୋନେଲ୍‌ ମହେନ୍ଦର ରାଓ୍ବତ୍‌ କହିଛନ୍ତି। ପ୍ରଶାସନ ସହ ସମ୍ପର୍କ ରଖି ସବୁ ପ୍ରକାର ଉଦ୍ୟମ କରାଯାଉଥିବା ସେ ସୂଚନା ଦେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share