ସ୍ବାଭାବିକ ହେଲା କୋଇଲା ପରିବହନ

ତାଳଚେର,୩୦।୮ (ମନୋଜ ନନ୍ଦ): କୋଇଲା ଟ୍ରକ୍‌ ପରିବହନକୁ ନେଇ ତାଳଚେର -ଛତିଶଗଡ଼ ମଧ୍ୟରେ ଦେଖାଦେଇଥିବା ବିବାଦରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ମଙ୍ଗଳବାର ଏ ନେଇ ଆଲୋଚନା ପରେ ସମସ୍ୟାର ସମାଧାନ ହୋଇଛି। ପ୍ରକାଶ ଯେ, ତାଳଚେର ଟ୍ରକ୍‌ ମାଲିକ ସଂଘ ଓ ପରିବହନ ସଂସ୍ଥା ମିଳିତ ନିଷ୍ପତ୍ତି ଅନୁଯାୟୀ ପ୍ରଥମେ ତାଳଚେର ଗାଡିକୁ ଲୋଡିଂ ଦେବା ପରେ ବାହାର ରାଜ୍ୟକୁ ପରବର୍ତ୍ତୀ ସମୟରେ ଲୋଡିଂ ଦେବା ଘଟଣା ପରେ ଏହି ବିବାଦ ସୃଷ୍ଟି ହୋଇଥିଲା। ଏପରି କି ତାଳଚେର ଅଞ୍ଚଳରୁ କୋଇଲା ନେଇ ଛତିଶଗଡ଼ ଯାଇଥିବା କେତୋଟି ଟ୍ରକ୍‌କୁ ଛତିଶଗଡଠାରେ ଅଟକ ରଖାଯିବା ଓ ଛତିଶଗଡ଼ର କେତୋଟି ଟ୍ରକ୍‌କୁ ତାଳଚେର ଠାରେ ଅଟକ ରଖାଯିବା ଫଳରେ ଏପରି ବିବାଦ ବଢ଼ିଯାଇଥିଲା। ତେବେ ମଙ୍ଗଳବାର ସମ୍ବଲପୁର ଟ୍ରକ୍‌ ମାଲିକ ସଂଘ ସଭାପତି ରାଜେନ୍ଦ୍ର ସିଂହଙ୍କ ମଧ୍ୟସ୍ଥତାରେ ତାଳଚେର ଟ୍ରକ୍‌ ମାଲିକ ସଂଘ ସଭାପତି ଅରବିନ୍ଦ ଭୂତିଆଙ୍କ ନେତୃତ୍ୱରେ ସାଧାରଣ ସମ୍ପାଦକ ରତନ ଶତପଥୀ, ହୃଦୟ ପ୍ରଧାନ, ମାନସ ରଞ୍ଜନ ଆଚାର୍ଯ୍ୟ ପ୍ରମୁଖ ସମ୍ବଲପୁରରେ ପହଞ୍ଚି ଆଲୋଚନା କରିଥିଲେ। ଫଳରେ ତାଳଚେର ଓ ଛତିଶଗଡ଼ର ଟ୍ରକ୍‌ ମାଲିକ ସଂଘ ମଧ୍ୟରେ ଉପୁଜିଥିବା ସମସ୍ୟାର ଆପୋସ ସମାଧାନ ହୋଇଥିଲା। ଏହାପରେ ଟ୍ରକ୍‌ ଚଳାଚଳ ସ୍ବାଭାବିକ ହୋଇପାରିଛି ଓ ସମସ୍ୟା ସମାଧାନରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ତାଳଚେର ଟ୍ରକ୍‌ ମାଲିକ ସଂଘ ସଭାପତି ଭୂତିଆ ପ୍ରକାଶ କରିଛନ୍ତି।