ତଟ ସୁରକ୍ଷାରେ ଅତ୍ୟାଧୁନିକ ହେଲିକପ୍ଟର ସାମିଲ

ଭୁବନେଶ୍ୱର,୧୧।୪(ବ୍ୟୁରୋ): ଭାରତୀୟ ତଟରକ୍ଷୀ ବାହିନୀ(ଆଇସିଜି) ପକ୍ଷରୁ ରବିବାର ପ୍ରଥମ ଆଇସିଜି ଆଡ୍‌ଭାନ୍ସଡ୍‌ ଲାଇଟ୍‌ ହେଲିକପ୍ଟର(ଏଏଲ୍‌ଏଚ୍‌) ଏମ୍‌କେ-୩ର ‘୮୩୦ ସ୍କ୍ବାଡ୍ରନ(ସିଜି)’ ଲୋକାର୍ପିତ ହୋଇଛି। ଭୁବନେଶ୍ୱର ବିମାନବନ୍ଦରସ୍ଥିତ ଆଇସିଜି ଏୟାର ଏନ୍‌କ୍ଲେଭ୍‌ଠାରେ ଆଇସିଜି ମହାନିର୍ଦ୍ଦେଶକ ଭିଏସ୍‌ ପଠାନିଆ, ପିଟିଏମ୍‌, ଟିଏମ୍‌ ଏହାକୁ ଲୋକାର୍ପଣ କରିବା ସହ ବିଧିବଦ୍ଧ ଭାବେ ତଟରକ୍ଷୀ ବାହିନୀରେ ସାମିଲ କରିଛନ୍ତି। ଏହି ସ୍କ୍ବାଡ୍ରନ୍‌ ଦୀର୍ଘ ସାମୁଦ୍ରିକ ସୀମା ନିରୀକ୍ଷଣ ସହ ଉଦ୍ଧାର କାର୍ଯ୍ୟରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ। କମାଣ୍ଡାଣ୍ଟ ଅନୁରୂପ ସିଂ, ଟିଏମ୍‌, ‘୮୩୦ ସ୍କ୍ବାଡ୍ରନ(ସିଜି)’ର କମାଣ୍ଡିଂ ଅଫିସର ଥିବାବେଳେ ପରିଚାଳନା ପାଇଁ ୧୧ଜଣ ଅଧିକାରୀ ଓ ୪୬ଜଣ କର୍ମଚାରୀ ନିୟୋଜିତ ଅଛନ୍ତି।
ଏଏଲ୍‌ଏଚ୍‌ ଏମ୍‌କେ-୩ ହେଲିକପ୍ଟରଗୁଡ଼ିକରେ ଶକ୍ତିଶାଳୀ ଇଞ୍ଜିନ୍‌, ଉଚ୍ଚ-ତୀବ୍ରତା ସର୍ଚ୍ଚ ଲାଇଟ୍‌, ଟ୍ରାଫିକ୍‌ ଆଲର୍ଟ, ସ୍ବୟଂଚାଳିତ ଉଡ଼ାଣ ନିୟନ୍ତ୍ରଣ ଆଦି ସୁବିଧା ରହିଛି। ଏହାଛଡ଼ା ଫୁଲ୍‌ ଗ୍ଲାସ୍‌ କକ୍‌ପିଟ୍‌, କଲିଜନ୍‌ ଆଭଏଡାନ୍ସ ସିଷ୍ଟମ୍‌, ଆଡ୍‌ଭାନ୍ସଡ କମ୍ୟୁନିକେଶନ ସିଷ୍ଟମ, ଅଟୋମେଟିକ୍‌ ଆଇଡେଣ୍ଟିଫିକେଶନ ସିଷ୍ଟମ, ସର୍ଚ୍ଚ ଆଣ୍ଡ୍‌ ରେସ୍‌କ୍ୟୁ ହୋମ୍‌ର ମଧ୍ୟ ବ୍ୟବସ୍ଥା ରହିଛି। ଏଥିରେ ଥିବା ଆଧୁନିକ ନିରୀକ୍ଷଣ ରାଡାର, ଇଲେକ୍ଟ୍ରୋ-ଅପ୍ଟିକାଲ୍‌ ଯନ୍ତ୍ରପାତି ଦିନରାତି ଦୀର୍ଘ ଦୂରତା ପର୍ଯ୍ୟନ୍ତ ନିରୀକ୍ଷଣ ସହ ଉଦ୍ଧାର କାର୍ଯ୍ୟରେ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ସକ୍ଷମ ହେବ। ସେହିଭଳି ମେଡିକାଲ ଇଭାକ୍ୟୁଏଶନ ସମୟରେ ଗୁରୁତର ରୋଗୀଙ୍କୁ ସ୍ଥାନାନ୍ତର କରିବା ପାଇଁ ଏକ ମେଡିକାଲ୍‌ ଇଣ୍ଟେନ୍‌ସିଭ୍‌ କେୟାର ୟୁନିଟ୍‌ ରହିଛି। ୧୬ଟି ଏଏଲ୍‌ଏଚ୍‌ ଏମ୍‌କେ ୩ ହେଲିକପ୍ଟର ମଧ୍ୟରୁ ୧ ୨ଟି ପର୍ଯ୍ୟାୟକ୍ରମେ ଇଣ୍ଡିଆନ୍‌ କୋଷ୍ଟଗାର୍ଡରେ ଅନ୍ତର୍ଭୁକ୍ତ ହୋଇଛି ଏବଂ ୪ଟି ବିମାନ ଭୁବନେଶ୍ୱରରେ ରହିଛି, ଯାହାକି ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଉପକୂଳ ତଦାରଖ ପାଇଁ ରଖାଯାଇଛି।

Share