କୋଲକାତା,୧୧।୩ : ନ୍ୟୁ ଆଲିପୁର କୋକେନ୍ ମାମଲାରେ କୋଲକାତା ନ୍ୟୁ ଟାଉନ୍ର ଜଣେ ମଡେଲଙ୍କୁ ଗିରଫ କରାଯାଇଛି। ଏହି ମାମଲାରେ ଗିରଫ ହେବାରେ ମଡେଲ ଅମ୍ରିତା ସିଂ ଓରଫ ସ୍ବିଟି ହେଉଛନ୍ତି ଅଷ୍ଟମ ଅଭିଯୁକ୍ତ। ପୂର୍ବରୁ ଭାଜପା ନେତା ରାକେଶ ସିଂ ଏବଂ ପାମେଲା ଗୋସ୍ବାମୀଙ୍କୁ ଉକ୍ତ ମାମଲାରେ ଗିରଫ କରାଯାଇଥିଲା। ନିଶା ଚୋରାବେପାରୀଙ୍କଠାରୁ କୋକେନ୍ ସଂଗ୍ରହ କରିବା ଲାଗି ରାକେଶ ତାଙ୍କୁ ନିଯୁକ୍ତ କରିଥିଲେ ବୋଲି ମଡେଲ ଜଣକ କହିଛନ୍ତି। ସେ ଗ୍ରାମ ପିଛା ୯,୫୦୦ରୁ ୧୦ ହଜାର ଟଙ୍କାରେ କୋକେନ କିଣି ରାକେଶଙ୍କୁ ଦେଉଥିଲେ ବୋଲି ଜେସିପି(କ୍ରାଇମ୍) ମୁରଲୀଧର ଶର୍ମା କହିଛନ୍ତି। ନାର୍କୋଟିକ୍ ସେଲ୍ର ଅଫିସରମାନଙ୍କ କହିବା ଅନୁଯାୟୀ ଅମ୍ରିତା ସହରର ନାଇଟ୍ କ୍ଲବ ଏବଂ ବାର୍ ସହ ସକ୍ରିୟ ଭାବେ ସମ୍ପୃକ୍ତ ଥିଲେ। ସେ ରାକେଶଙ୍କ ସହ ବିଭିନ୍ନ ରାଜନୈତିକ ନେତାଙ୍କୁ ବାଇପାସ୍ର ଏକ ହୋଟେଲରେ ଭେଟୁଥିଲେ। ରାକେଶଙ୍କ ସହ ତାଙ୍କର ସମ୍ପର୍କ ବଢ଼ିବା ପରେ ସେ ତାଙ୍କୁ ଡ୍ରଗ୍ସ ସଂଗ୍ରହ କାର୍ଯ୍ୟରେ ନିୟୋଜିତ କରିଥିଲେ। କୋକେନ୍ର ଗ୍ରାହକ କିଏ ଥିଲେ ତାହା ଜାଣିବା ପାଇଁ ଅମ୍ରିତାଙ୍କୁ ଜେରା କରାଯିବ ବୋଲି ପୋଲିସ କହିଛି।