ଖୋଲା ବଜାରରେ ବିକ୍ରିହେଲା ନଡ଼ିଆ

ଘଟଗାଁ,୧୨ା୯(ରାଜେନ୍ଦ୍ର କୁମାର ପଟ୍ଟନାୟକ): କେନ୍ଦୁଝର ଜିଲା ଘଟଗାଁବାସିନୀ ମା’ ତାରିଣୀଙ୍କ ମାନସିକ ନଡ଼ିଆ ଗୋଦାମ ଘରେ ପଡ଼ି ନଷ୍ଟ ହେଉଥିଲା। କେହି ବ୍ୟବସାୟୀ ଟେଣ୍ଡର ଧରୁ ନ ଥିବାରୁ ମନ୍ଦିର ପରିସରରେ ଥିବା ଗୋଦାମ ଗୃହରେ ଏହାର ପରିମାଣ ୧୨ ଲକ୍ଷ ଟପିଯାଇଥିଲା। ଯାହାକୁ ନେଇ ଭକ୍ତ ମହଲରେ ଅସନ୍ତୋଷ ଦେଖାଦେବା ସହ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ପରେ ଦେବୋତ୍ତର କମିଶନରଙ୍କ ନିର୍ଦ୍ଦେଶ ମୁତାବକ ମା’ଙ୍କ ଭୋଗ ନଡ଼ିଆକୁ ଖୋଲା ବଜାରରେ ୪ ଟଙ୍କା ୬୦ ପଇସାରେ ବିକ୍ରି ଆରମ୍ଭ ହୋଇଛି। ଏହା ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ।
ରାଜ୍ୟର ପ୍ରତ୍ୟେକ ଜିଲାରେ ଥିବା ହୁଣ୍ଡିରୁ ଦୈନିକ ୧୦ରୁ ୧୫ ହଜାର ମାନସିକ ନଡ଼ିଆ ବିଭିନ୍ନ ବସ୍‌ଷ୍ଟାଣ୍ଡରୁ ବସ୍‌ ଯୋଗେ ଓ ସ୍ବତନ୍ତ୍ର ଗାଡ଼ି ଯୋଗେ ଘଟଗାଁକୁ ଆସିଥାଏ। ମାନସିକ ନଡ଼ିଆ ଭୋଗକୁ ଟେଣ୍ଡର ଯୋଗେ ବାର୍ଷିକ ଟ୍ରଷ୍ଟ ବୋର୍ଡ ବିକ୍ରି କରିଥାଏ। ଏଥିରୁ ମିଳୁଥିବା ଆୟରେ ମନ୍ଦିର ଉନ୍ନୟନ କାମ କରାଯାଇଥାଏ। ଗତ ଜୁନ୍‌ରୁ ଟେଣ୍ଡର ନେଇଥିବା ବ୍ୟବସାୟୀ ନଡ଼ିଆ ଉଠାଇବା ବନ୍ଦ କରିଦେଇଥିଲେ। ପରେ ମନ୍ଦିର ପ୍ରଶାସନ ୪ ଥର ଟେଣ୍ଡର ଡାକିବା ସହିତ ଓ ଖୋଲା ନିଲାମ ପାଇଁ ନୋଟିସ୍‌ ଦେଇଥିଲେ ହେଁ କେହି ଅଂଶଗ୍ରହଣ କରି ନ ଥିଲେ। ଫଳରେ ଗୋଦାମ ଘରେ ନଡ଼ିଆ ପରିମାଣ ବଢ଼ି ୧୨ ଲକ୍ଷକୁ ଟପିଯାଇଥିଲା। ନଡ଼ିଆ ପରିମାଣ ବୃଦ୍ଧିକୁ ଦେଖି ଭୁବନେଶ୍ୱର ଦେବୋତ୍ତର କମିଶନର ଖୋଲା ବଜାରରେ ବିକ୍ରି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଖୋଲା ନିଲାମରେ ରବିବାର ୨୯୦୦ ଓ ସୋମବାର ୨୪୦୦ ଭୋଗ ନଡ଼ିଆ ବିକ୍ରି ହୋଇଥିବା ଜଣାଯାଇଛି। ଭୋଗ ନଡ଼ିଆ ସ୍ଥାନୀୟ ନଡ଼ିଆ କୋରା ବ୍ୟବସାୟୀ ଓ ସ୍ଥାନୀୟ ଛୋଟ ବ୍ୟବସାୟୀ କିଣିଥିବା ଜଣାଯାଇଛି।

Share