Categories: ଫୁରସତ

ଶ୍ରୀଫଳ

ଶ୍ରୀ ଅର୍ଥାତ୍‌ ଶ୍ରେଷ୍ଠ, ଶ୍ରୀ ଅର୍ଥାତ୍‌ ସୁନ୍ଦର, ଶ୍ରୀ ଅର୍ଥାତ୍‌ ସମୃଦ୍ଧି ଆଉ ଏଇଥିପାଇଁ ନଡ଼ିଆ ହେଉଛି ଶ୍ରୀଫଳ। ଏତେସବୁ ବିଶେଷତ୍ୱ ପାଇଥିବା ଯୋଗୁ ବୋଧେ ଯେକୌଣସି ଶୁଭ କାର୍ଯ୍ୟରେ ପ୍ରଥମେ ଖୋଜାପଡେ ନଡ଼ିଆକୁ। ଶୁଭ ଆଉ ସମୃଦ୍ଧିର ପ୍ରତୀକ ବୋଲି କୁହାଯାଉଥିବା ନଡ଼ିଆ ବି ଜୀବନଦାୟୀ। କାରଣ ଏହାର ଗଛରୁ ଆରମ୍ଭ କରି ଫଳପତ୍ର ଯାଏଁ ସେ ମଣିଷର ସବୁ ଆବଶ୍ୟକତାକୁ ପୂରଣ କରିଥାଏ। ସେଇଥିପାଇଁ ପରା କୁହାଯାଏ, ଘରେ ନଡ଼ିଆ ଗଛ ଥିଲେ ମଣିଷର ଅଭାବ ରୁହେନି।
ଶ୍ରୀଫଳର ଉତ୍ପତ୍ତି
ମଣିଷର ପ୍ରତିଟି କାର୍ଯ୍ୟରେ ଖୋଜା ପଡୁଥିବା ଶ୍ରୀଫଳ ବା ନଡ଼ିଆର ଉତ୍ପତ୍ତିକୁ ନେଇ ରହିଛି ଅନେକ କଥା। ତେବେ ପୁରାଣରେ ନଡ଼ିଆ ଗଛର ଉତ୍ପତ୍ତି ଓ ନଡ଼ିଆର ମହତ୍ତ୍ୱ କ’ଣ ରହିଛି ସେ ସମ୍ପର୍କରେ ଆଧ୍ୟାତ୍ମିକ ପ୍ରବକ୍ତା ଶ୍ରୀ ସନ୍ନ୍ୟାସୀ ଜୀ ଯାହା କୁହନ୍ତି:
ଶ୍ରୀଫଳର ଉତ୍ପତ୍ତି ସମ୍ପର୍କରେ ଆଲୋଚନା କରାଗଲେ ଆମକୁ ମହର୍ଷି ବିଶ୍ୱାମିତ୍ରଙ୍କ ନାମକୁ ସ୍ମରଣରେ ଆଣିବାକୁ ପଡିବ। କାରଣ ସେ ହିଁ ଶ୍ରୀଫଳର ଜନକ। ପୁରାଣର ପୃଷ୍ଠାକୁ ଉନ୍ମୋଚନ କଲେ ଜଣାପଡେ ଯେ, ସତ୍ୟବ୍ରତ ନାମରେ ଜଣେ ରାଜା ଥିଲେ। କେଜାଣି କାହିଁକି ସ୍ବର୍ଗକୁ ଯିବା ପାଇଁ ତାଙ୍କର ଭାରି ଇଚ୍ଛା ହେଲା। କେମିତି ଓ କେଉଁ ଉପାୟରେ ସେ ସ୍ବର୍ଗକୁ ଯାଇପାରିବେ, ସେଇ ଭାବନାରେ ଦିନରାତି ଥାଆନ୍ତି l ତେଣେ ଋଷି ବିଶ୍ୱାମିତ୍ର ତପଶ୍ଚରଣ ପାଇଁ ଢେର ଦିନ ହେଲା ଦୂର ବନ ପ୍ରଦେଶକୁ ଚାଲି ଯାଇଥିବାରୁ ତାଙ୍କ ପରିବାର ବହୁ ଦୁଃଖ କଷ୍ଟରେ ଜୀବନ ନିର୍ବାହ କରୁଥିଲେ। ଏକଥା ରାଜା ସତ୍ୟବ୍ରତଙ୍କ କାନରେ ପଡିବାରୁ ବିଶ୍ୱାମିତ୍ର ଫେରିବା ପର୍ଯ୍ୟନ୍ତ ତାଙ୍କ ପରିବାରର ସମସ୍ତ ଦାୟିତ୍ୱ ସେ ବହନ କରିଥିଲେ l ତପଶ୍ଚର୍ଯ୍ୟାରୁ ଫେରିବା ପରେ ବିଶ୍ୱାମିତ୍ର ରାଜାଙ୍କ ମହାନତା କଥା ଜାଣିଲେ। ଏଥିରେ ସେ ଅତ୍ୟନ୍ତ ପ୍ରୀତ ହୋଇ ସତ୍ୟବ୍ରତଙ୍କୁ ମନଲାଖି ବର ମାଗିବାର ଯାଚନା କଲେ l ରାଜା ତ ଏଇ ସୁଯୋଗର ଅପେକ୍ଷାରେ ଥିଲେ l ସେ ନିଜ ମନ କଥା ପ୍ରକାଶ କରିବାରୁ ମହର୍ଷି ବିଶ୍ୱାମିତ୍ର କହିଲେ- ତୁମ ବଂଶରେ ତ ପୂର୍ବରୁ ସମସ୍ତେ ସ୍ବର୍ଗକୁ ଯାଇଛନ୍ତି। ତୁମର ଯୋଗ୍ୟତା ଅଛି, ତୁମେ ବି ଯାଇପାରିବ, ଏଥିରେ ସମସ୍ୟା କେଉଁଠି? ଯୋଡ଼ ହସ୍ତରେ ରାଜା କହିଲେ- ମୋ ପୂର୍ବଜମାନେ ମୃତ୍ୟୁ ପରେ ହିଁ ସ୍ବର୍ଗକୁ ଯାଇଛନ୍ତି l କିନ୍ତୁ ମୁଁ ମୃତ୍ୟୁ ପୂର୍ବରୁ ଅର୍ଥାତ୍‌ ସଶରୀରେ ସ୍ବର୍ଗକୁ ଯିବାକୁ ଚାହୁଁଚି। ସତ୍ୟବ୍ରତଙ୍କ ଉପରେ ବିଶ୍ୱାମିତ୍ର ଏତେ ପ୍ରୀତ ହୋଇଯାଇଥିଲେ ଯେ, ସେ ଈଶ୍ୱରଙ୍କ ବିଧିବିଧାନକୁ ବି ଭାଙ୍ଗି ଦେବା ପାଇଁ ଉଦ୍ୟତ ହୋଇ ଉଠିଲେ l ଶରୀର ଧରି ସ୍ବର୍ଗକୁ ଯିବା କ’ଣ ସମ୍ଭବ? କିନ୍ତୁ ବିଶ୍ୱାମିତ୍ର ରାଜା ସତ୍ୟବ୍ରତଙ୍କୁ ସିଧା ସ୍ବର୍ଗକୁ ପଠାଇବାର ତୁରନ୍ତ ବ୍ୟବସ୍ଥା କରିଦେଲେ। ଫଳ ଯାହା ହେବା କଥା ସେୟା ହେଲା। ଇନ୍ଦ୍ରାଦି ଦେବଗଣ ପ୍ରମାଦ ଗଣିଲେ। ରୁଷ୍ଟ ହୋଇ ସତ୍ୟବ୍ରତଙ୍କୁ ସମସ୍ତେ ସ୍ବର୍ଗରୁ ତଳକୁ ବଳ ପୂର୍ବକ ଠେଲି ଦେଲେ l ଏହା ଜାଣିପାରି ବିଶ୍ୱାମିତ୍ର ନିଜ ସିଦ୍ଧି ବଳରେ ସ୍ବର୍ଗ ଏବଂ ମର୍ତ୍ତ୍ୟ ମଝିରେ ଆଉ ଗୋଟେ ଦ୍ୱିତୀୟ ସ୍ବର୍ଗ ନିର୍ମାଣ କରିଦେଲେ l ମଝି ଆକାଶରେ ଭାସମାନ ଏଇ କୃତ୍ରିମ ସ୍ବର୍ଗ କାଳେ କେତେବେଳେ ତଳକୁ ଖସିପଡିବ, ସେଥିପାଇଁ ସେ ଲମ୍ବା ଲମ୍ବା ଢିରାମାନ ଖଞ୍ଜିଦେଲେ। ପୌରାଣିକ ମତ ଅନୁସାରେ ସେଇ ଲମ୍ବା ଲମ୍ବା ସାହାରା ହିଁ କାଳକ୍ରମେ ନଡ଼ିଆ ଗଛରେ ପରିଣତ ହେଲା ଏବଂ କଥିତ ଅଛି ଯେ ରାଜା ସତ୍ୟବ୍ରତଙ୍କ ଶିର ହିଁ ଶୀ ର ଫଳ ବା ‘ଶ୍ରୀଫଳ’ ରେ ପରିଣତ ହେଲା l
ଆଉ ଏକ ପୌରାଣିକ ତତ୍ତ୍ୱ ଅନୁସାରେ, ସ୍କନ୍ଦ ଦେବତାଙ୍କ ସ୍ବରୂପ ହେଉଛି ଶ୍ରୀଫଳ। ଏ ହେଉଛି ସ୍କନ୍ଦ ପୁରାଣର କଥା। ପାର୍ବତୀଙ୍କ ଦୁଇ ପୁତ୍ର ହେଉଛନ୍ତି ଶ୍ରୀଗଣେଶ ଏବଂ ଶ୍ରୀକାର୍ତ୍ତିକେୟ। ଶ୍ରୀଗଣେଶଙ୍କୁ ଅଗ୍ରପୂଜ୍ୟ ହେବାର ବର ପିତା ମହାଦେବ ପ୍ରଦାନ କରିସାରିଥାନ୍ତି l ହେଲେ ମା’ ପାର୍ବତୀଙ୍କ ମନ ଏଥିରେ ସନ୍ତୁଷ୍ଟ କେଉଁଠି ହେଉଛି? କାରଣ ସେ କେବଳ ଶ୍ରୀଗଣେଶଙ୍କ ମା’ ନୁହନ୍ତି, ଶ୍ରୀକାର୍ତ୍ତିକେୟଙ୍କର ବି ମା’ l ନିଜର ଗୋଟିଏ ପୁତ୍ରକୁ ଏତେ ବଡ଼ ପଦବୀ ମିଳିବ ଆଉ ଗୋଟିଏକୁ କିଛି ମିଳିବନି- ଏହା ହିଁ ମାତା ଜଗଦମ୍ବାଙ୍କ ଚିନ୍ତାର କାରଣ ଥିଲା। ଦିନେ ସୁଯୋଗ ଦେଖି ମହାଦେବଙ୍କ ପାଖରେ ମା’ ପାର୍ବତୀ ଅଳି କରି ବସିଲେ- ସ୍ବାମୀ! କାର୍ତ୍ତିକେୟକୁ ଗଣେଶଙ୍କ ପରି ସେମିତି କିଛି ପ୍ରଥମ ପୂଜ୍ୟ ହେବାର ବର ଦିଅନ୍ତେନି! ଚକ୍ଷୁ ଅର୍ଦ୍ଧ ନିମିଳିତ ଅବସ୍ଥାରେ ଆଶୁତୋଷ କହିଲେ – ପ୍ରିୟେ! ସେମିତି କେମିତି ହୋଇପାରିବ? ପ୍ରଥମ ପୂଜ୍ୟ ଜଣେ କେହି ହେବ। ଆଉ ଜଣଙ୍କୁ କେମିତି ପ୍ରଥମ କରିପାରିବି? କିନ୍ତୁ ପାର୍ବତୀଙ୍କ ଅନୁନୟ ବିନୟ ଏବଂ ବିକଳ ପ୍ରାର୍ଥନା ମହାଦେବଙ୍କୁ କିଛି ଗୋଟେ କରିବା ପାଇଁ ବିବଶ କଲା। ପାର୍ବତୀଙ୍କୁ ପ୍ରବୋଧନା ଦେବାକୁ ଯାଇ ସେ ବର ପ୍ରଦାନ କରି କହିଲେ- ଆଜିଠୁ ଶ୍ରୀକାର୍ତ୍ତିକେୟଙ୍କୁ ଶ୍ରୀଫଳ ଆକାରରେ ଭୂଷିତ କରିଲି। ଶ୍ରୀଗଣେଶ ପୂଜନ ପାଇଁ ଯେତେବେଳେ ଶୁଭ କଳସର ବ୍ୟବସ୍ଥା କରାଯିବ ସେତେବେଳେ ସମସ୍ତେ ପ୍ରଥମେ ନଡ଼ିଆ ବା ଶ୍ରୀଫଳକୁ ଖୋଜି ବସିବେ। କଳସ ଉପରେ ନଡ଼ିଆକୁ ରଖି ବ୍ରାହ୍ମଣ ଶ୍ରୀଗଣେଶଙ୍କ ସହିତ ଶ୍ରୀକାର୍ତ୍ତିକେୟ ରୂପୀ ଶ୍ରୀଫଳକୁ ପ୍ରଥମେ ପୂଜା କରିବେ। ତେଣୁ ଆମେ ଯାହାକୁ ନଡ଼ିଆ ବା ଶ୍ରୀଫଳ ବୋଲି କହୁଛେ, ତାହା ଶ୍ରୀକାର୍ତ୍ତିକେୟଙ୍କ ରୂପାନ୍ତରିତ ଅବୟବ ଛଡ଼ା ଆଉ କେହି ନୁହନ୍ତି ।
ପୂଜାରେ କାହିଁକି ଶ୍ରୀଫଳ ଆବଶ୍ୟକ
”ଶ୍ରୀ“ ଶବ୍ଦର ଅର୍ଥ ହେଉଛି ‘ଶ୍ରେଷ୍ଠ’ l ଫଳ ମାନଙ୍କ ଭିତରେ ନଡ଼ିଆ ଶ୍ରେଷ୍ଠ ହୋଇଥିବାରୁ ଏହାର ନାମ ଶ୍ରୀଫଳ। ଇଶ୍ୱରଙ୍କୁ ସର୍ବଦା ଭଲ ବା ଶ୍ରେଷ୍ଠ ଦ୍ରବ୍ୟ ହିଁ ଅର୍ପଣ କରାଯିବାର ବିଧି ରହିଛି। ତେଣୁ ପ୍ରତ୍ୟେକ ପୂଜା ପାଠରେ ନଡ଼ିଆର ବ୍ୟବହାର ହୋଇଥାଏ l
 ‘ଶ୍ରୀ’ ଶବ୍ଦର ଅନ୍ୟ ଏକ ଅର୍ଥ ହେଉଛି ‘ଲକ୍ଷ୍ମୀ’। ନଡ଼ିଆ ଲକ୍ଷ୍ମୀଙ୍କର ଅତି ପ୍ରିୟ ଫଳ ହୋଇଥିବାରୁ, ସେଥିପାଇଁ ତାହାର ନାମ ‘ଶ୍ରୀଫଳ’। ମଣିଷର ମନ ଭିତରେ ସେବା ବା ଉତ୍ସର୍ଗିକୃତ ଭାବନାର ମଞ୍ଜି ବୁଣିଥାଏ ଶ୍ରୀଫଳ l ଅନ୍ୟ ଯେତେ ଫଳ ଅଛନ୍ତି ସମସ୍ତେ ନିଜ ନିଜର ରସକୁ ନିଜ ଶରୀର ସହ ଅଙ୍ଗାଙ୍ଗୀ ଭାବେ ସଂଗୁପ୍ତ କରି ରଖିଥାନ୍ତି l କିନ୍ତୁ ଶ୍ରୀଫଳ ହେଉଛି ଏକମାତ୍ର ଫଳ ଯିଏ ନିଜ ରସ ବା ଜଳକୁ ନିଜ ଠାରୁ ଅଲଗା କରି ରଖିଥାଏ କେବଳ ମଣିଷଙ୍କୁ ସମର୍ପିତ କରିବା ପାଇଁ। ଏହା କ’ଣ କମ୍‌ ବଡ଼ ତ୍ୟାଗ?
ପୂଜା ରେ ନଡ଼ିଆ ର ବ୍ୟବହାର କରିବାର ପ୍ରମୁଖ କାରଣ ହେଉଛି ନଡ଼ିଆ ର ଜଳ । ଜଳଯୁକ୍ତ ଶ୍ରୀଫଳ କୁ ନିଷ୍ଠାର ସହ ପୂଜା କଲେ ଘରେ ଶୁଭ ଶକ୍ତିର ଆର୍ବିଭାବ ଘଟେ ଏବଂ ଲକ୍ଷ୍ମୀଙ୍କ କୃପାପ୍ରାପ୍ତ ହୁଏ ବୋଲି ବିଶ୍ୱାସ ରହିଛି। ଦ୍ୱିତୀୟରେ ଏହାର ଏକ ଜ୍ୟୋତିଷକ କାରଣକୁ ମଧ୍ୟ ଆଲୋଚନାର ପରିସରକୁ ନିଆଯାଇପାରେ। ନଡ଼ିଆ ଭିତରେ ଥିବା ଶ୍ୱେତ ବର୍ଣ୍ଣର ଅଂଶ, ଯାହାକୁ ସଶ ବୋଲି କୁହାଯାଏ, ତାହା ଚନ୍ଦ୍ରମାର ପ୍ରତୀକ। ଚନ୍ଦ୍ରର ବର୍ଣ୍ଣ ବି ଶୁଭ। ପୂଜାରେ ନଡ଼ିଆ ବ୍ୟବହାର କଲେ ଚନ୍ଦ୍ରମାଙ୍କ କୃପା ମିଳିଥାଏ ବୋଲି ବିଶ୍ୱାସ ରହିଛି। ତୃତୀୟ କଥା ହେଲା, ପୂଜାରେ ନଡ଼ିଆକୁ ଭଙ୍ଗା ଯାଏ। ଯଦି ଏକା ଥରକେ ଭାଙ୍ଗିଗଲା, ତେବେ ଏହା ଶୁଭତ୍ୱର ସୂଚକ ବୋଲି ମନେ କରାଯାଏ। ନଡ଼ିଆ ଭଙ୍ଗା ପରମ୍ପରାଟି ଆମ ମନରୁ ଅହଂକାରକୁ ତଡିବା ପାଇଁ ବାର୍ତ୍ତା ଦିଏ। ନଡ଼ିଆର ଉପରି ଭାଗ କଠିନ l ଏହାକୁ ଭେଦ କରିବା ପରେ ହିଁ ଭିତରର ସୁମଧୁର ଜଳକୁ ପିଇହେବ। ଠିକ୍‌ ସେହିପରି ମଣିଷ ନିଜ ମନରେ ଥିବା ଅହଂକାରର ମୂଳୋତ୍ପାଟନ କରି ପାରିଲେ ହିଁ ନିଜ ଅଭ୍ୟନ୍ତରେ ଥିବା ଦୈବତ୍ୱ ରୂପକ ମଧୁର ଜଳକୁ ଆସ୍ବାଦନ କରିପାରିବ।
ଏକ ଆଖିଆ ଏବଂ ଦୁଇ ଆଖିଆ ନଡ଼ିଆ
ମହାଲକ୍ଷ୍ମୀଙ୍କ ପରି ମହାଦେବ ମଧ୍ୟ ଶ୍ରୀଫଳ ପ୍ରିୟ l ମହାଦେବଙ୍କ ତ୍ରିନୟନ ପରି ଶ୍ରୀଫଳର ମଧ୍ୟ ତିନୋଟି ଆଖି ଥାଏ। କିନ୍ତୁ ଏକ ଆଖି ନଡ଼ିଆ ଅତି ଶୁଭ ବୋଲି ବିଶ୍ୱାସ ରହିଛି। ଏହାକୁ ଠାକୁର ଘରେ ରଖି ପୂଜା କଲେ ଧନ ରତ୍ନର ବୃଦ୍ଧି ଘଟେ ବୋଲି ଶାସ୍ତ୍ରଜ୍ଞମାନେ ମତ ଦିଅନ୍ତି।
ନଡ଼ିଆ ଦେଇଛି ପରିଚୟ
ନଡ଼ିଆ ଖାଇସାରିବା ପରେ ତା’ର ସଢ଼େଇକୁ ସାଧାରଣତଃ ସମସ୍ତେ ଫିଙ୍ଗି ଦିଅନ୍ତି। କିନ୍ତୁ ଦେବୀ ପ୍ରସାଦ ଦାଶ ଏହାକୁ ଆବର୍ଜନା ଭାବି ଫିଙ୍ଗି ଦେଇନାହାନ୍ତି ବରଂ ଏହାକୁ ନେଇ ସେ ପ୍ରସ୍ତୁତ କରିଛନ୍ତି ସୁନ୍ଦର ସୁନ୍ଦର କଳାକୃତି; ଯାହା ଏବେ ତାଙ୍କର ପରିଚୟ ପାଲଟିଛି। ଭୁବନେଶ୍ୱରରେ ରହୁଥିବା ଦେବୀ ପ୍ରସାଦ ଦାଶ ଏହି ନଡିଆ ଷଡେଇରେ ତିଆରି କରିଛନ୍ତି ୫ ଫୁଟ ଲମ୍ବର ଏକ ମୟୂର; ଯାହା ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଛି। ଯାହାର ମୂଲ୍ୟ ୫ ଲକ୍ଷ ଟଙ୍କା। ମୟୂର ଛଡ଼ା ସେ ପ୍ରଜାପତି, ସ୍କୁଟର, ଚା’ କେଟିଲୀ, ବାସନ, ସାଇକେଲ ପରି ଅନେକ ଘରକରଣା ଜିନିଷ ଓ ସୁନ୍ଦର ସୁନ୍ଦର ଜୁଏଲାରୀ ବି ପ୍ରସ୍ତୁତ କରିଛନ୍ତି। ଯାହାକୁ ଦେଖିଲେ କେହି ସହଜେ ବିଶ୍ୱାସ କରିବେ ନାହିଁ ଏହା ନଡ଼ିଆ ଷଡେଇରେ ପ୍ରସ୍ତୁତ ହୋଇଛି ବୋଲି। ଏମ୍‌ବିଏ ପାସ୍‌ ପରେ ଦେବୀ ପ୍ରସାଦ ଅନେକ ବର୍ଷ ଦିଲ୍ଲୀରେ ଚାକିରି କରିଥିଲେ। କିନ୍ତୁ ଛୋଟବେଳର କଳା କରିଗରୀ ପ୍ରତି ଥିବା ତାଙ୍କର ରୁଚି ଶେଷରେ ତାଙ୍କୁ ବାଧ୍ୟ କଲା ଚାକିରି ଛାଡ଼ିବା ପାଇଁ। ଭୁବନେଶ୍ୱରରେ ରହୁଥିବାରୁ ଦେଖୁଥିଲେ ମନ୍ଦିର କଡରେ ଓ ଲସି ସେଣ୍ଟରମାନଙ୍କରେ କିପରି ଗଦାଗଦା ନଡିଆ ଷଡେଇ ପଡି ରହିଛି। ସେ ଚିନ୍ତା କଲେ, ଏସବୁ ତ କେବଳ ଆବର୍ଜନାରେ ନଷ୍ଟ ହୋଇଯାଉଛି। ଯଦି ଏହାକୁ ନେଇ କଳାକୃତିର ରୂପ ଦେଇ ହୁଅନ୍ତା ତା’ ହେଲେ ଅର୍ଥ ରୋଜଗାର ହେବା ସହ ପରିବେଶ ବି ସୁରକ୍ଷିତ ରହିପାରନ୍ତା। ଏ ନେଇ ଦେବୀ ପ୍ରସାଦ କୁହନ୍ତି, ‘ଓଡ଼ିଶାରେ ପ୍ରାୟ ୪୫୦ କି.ମି ହେଉଛି ଉପକୂଳ ଅଞ୍ଚଳ, ଯେଉଁଠାରେ ବହୁତ ନଡିଆ ଗଛ ରହିଛି। ତା’ଛଡା ଓଡିଶାର ବିଭିନ୍ନ ମନ୍ଦିରମାନଙ୍କରେ ବହୁତ ନଡିଆ ଭଙ୍ଗାହୁଏ। ଭୁବନେଶ୍ୱର ତ ମନ୍ଦିର ମାଳିନୀ। ଏଠାରେ ଥିବା ମନ୍ଦିର ସହ ଲସି ଦୋକାନମାନଙ୍କୁ ମିଶାଇଲେ ପ୍ରର୍ଯ୍ୟାପ୍ତ ପରିମାଣର ଷଡେଇ ଏଇଠି ଆବର୍ଜନାରେ ପଡି ରହୁଛି। ତେଣୁ ୨୦୧୧ରେ ମୁଁ ଏହା ଉପରେ କାମ କରିବା ଆରମ୍ଭ କଲି। କାମର ଚାହିଦା ବହୁତ ରହିଲା। ଲୋକଲ୍‌ ମାର୍କେଟରୁ ଛାଡ଼ି ଦେଲେ ବି ଦେଶ ବିଦେଶରୁ ଆମ ପାଖକୁ ଅର୍ଡର ଆସିବାକୁ ଲାଗିଲା। ଘରସଜ୍ଜା ସାମଗ୍ରୀଠାରୁ ଆରମ୍ଭ କରି ଫ୍ୟାଶନ୍‌ ଜୁଏଲାରୀ ପର୍ଯ୍ୟନ୍ତ ଗ୍ରାହକଙ୍କ ପସନ୍ଦକୁ ଦେଖି ଜିନିଷ ପ୍ରସ୍ତୁତ କରୁଛୁ; ଯେଉଁଥିରେ ମୁଖ୍ୟ ଭୂମିକା ନେଉଛନ୍ତି ମହିଳାମାନେ। ପାଖାପାଖି ୧୦୦୦ ମହିଳାଙ୍କୁ ମୁଁ  ଟ୍ରେନିଂ ଦେଇଛି। ସେମାନେ ଏବେ ମୋ ସେଣ୍ଟରରେ କାମ କରୁଛନ୍ତି। ଏହାଛଡା ଓଡିଶାର ବିଭିନ୍ନ ଜାଗାକୁ ମୁଁ ଟ୍ରେନିଂ ଦେବାକୁ ଯାଉଛି। ଆମର କଳାକୃତିର ବିକ୍ରୀ ପାଇଁ ଅନ୍‌ଲାଇନ୍‌ ବୁକିଂ ସହ ଦେଶ ବିଦେଶରେ ହେଉଥିବା ପ୍ରଦର୍ଶନୀରେ ଭାଗ ନେଉଛୁ। ନଡିଆ କଳାକୃତି ପାଇଁ ଲୋକଙ୍କର ଏତେ ଆଗ୍ରହ ଦେଖି ବହୁତ ଖୁସି ଲାଗୁଛି।’ ଏକଥା ସତ ଦେବୀ ପ୍ରସାଦଙ୍କ ଆଗ୍ରହ ଆଉ ପରିଶ୍ରମ ପାଇଁ ଅଳିଆଗଦାରେ ଫିଙ୍ଗାଯାଉଥିବା ଷଢ଼େଇ ଆଜି ଦେଶ ବିଦେଶରେ ଲୋକଙ୍କ ଘରେ ଶୋଭାବର୍ଦ୍ଧନ କରୁଛି।
ସ୍ବାସ୍ଥ୍ୟ ପାଇଁ ମହୋଷଧି ନଡ଼ିଆ: ଡା. ବାସୁଦେବ ପ୍ରଧାନ
ଫଳ ମଧ୍ୟରେ ଶ୍ରେଷ୍ଠ ନଡ଼ିଆ ଖାଇବାକୁ ଯେମିତି ସ୍ବାଦିଷ୍ଟ ସ୍ବାସ୍ଥ୍ୟ ପାଇଁ ମଧ୍ୟ ମହୋଷଧି।
ପଇଡ଼ ସବୁଠାରୁ ନିରାପଦ ଓ ସ୍ବାସ୍ଥ୍ୟପ୍ରଦ ପାନୀୟ। ପଇଡ଼ ପାଣି ଓ ନଡ଼ିଆରେ ଅନେକ ଔଷଧୀୟ ଗୁଣ ରହିଛି ା ଯେମିତିକି: * ହାଡ଼ଫୁଟି ଜନିତ ଦାଗ ଦୂର ପାଇଁ ପଇଡ଼ ପାଣି ସର୍ବୋତ୍ତମ। ଦାଗ ହୋଇଥିବା ସ୍ଥାନରେ ପଇଡ଼ ପାଣିକୁ ତୁଳାରେ ଭିଜାଇ ଦିନକୁ ୨/୩ଥର ଲଗାଇଲେ ଦାଗ ଦୂର ହୋଇଥାଏ। * ପଇଡ଼ ପାଣି ମୁହଁରେ ଲଗାଇଲେ  ତ୍ୱଚା ମୁଲାୟମ ହେବା ସହ ଉଜ୍ୱଳ ଦେଖାଯାଇଥାଏ। * ନିୟମିତ ପଇଡ଼ପାଣି ପିଇଲେ ଏସିଡିଟି ଦୂର ହୁଏ ା * ପରିସ୍ରା ପୋଡ଼ା ଲାଗି ପଇଡ ପାଣି ବେଶ୍‌ ଉପକାରୀ। * କାମଳରୋଗର ଉପଚାର ପାଇଁ ପଇଡ଼ ପାଣି ପିଇବା ଜରୁରୀ। ନଡିଆରେ ମଧ୍ୟ ଭରି ରହିଛି ଅନେକ ଔଷଧୀୟଗୁଣ। * ଘା’ ଶୁଖାଇବା ପାଇଁ ନଡ଼ିଆତେଲ ସର୍ବୋତ୍ତମ।
* ନଡ଼ିଆତେଲ କେଶ ପାଇଁ ଶ୍ରେଷ୍ଠ ପୋଷକ ହୋଇଥିବାରୁ ନିୟମିତ ମୁଣ୍ଡରେ ତେଲ ଲଗାଇଲେ କେଶର ରୁକ୍ଷତା ଦୂର ହେବା ସହ, କେଶ ଘନ ଏବଂ ସୁସ୍ଥ ହୋଇଥାଏ। *ଯେଉଁମାନଙ୍କର ଦୁର୍ବଳ ସ୍ବାସ୍ଥ୍ୟ ଗରମ ଭାତରେ ଏକ ଚାମଚ ଲେଖାଏଁ ନଡ଼ିଆତେଲ ଖାଇଲେ ଉପକାର ମିଳେ। *ମୁଣ୍ଡରେ ଉକୁଣି ହେଉଥିଲେ ନଡ଼ିଆ ତେଲରେ ପିଆଜ ମିଶାଇ ଲଗାନ୍ତୁ। *ମୁଣ୍ଡ ବିନ୍ଧୁଥିଲେ ତୁରନ୍ତ ଉପଶମ ପାଇଁ ପଇଡ଼ ପାଣି ପିଅନ୍ତୁ ଓ ନଡ଼ିଆତେଲରେ ପିସ୍ତାବାଦାମ ପେଷ୍ଟ କରି କପାଳରେ ଲଗାନ୍ତୁ। *ଓଠ ଫାଟୁଥିଲେ ନଡ଼ିଆକୁ ରସକୁ ଓଠରେ ଲଗାନ୍ତୁ। * ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାକୁ ହେଲେ ନଡ଼ିଆ ସର୍ବଶ୍ରେଷ୍ଠ ଉପାଦାନ। *ଶରୀରର ଶ୍ରୀ ବୃଦ୍ଧି ପାଇଁ ପ୍ରତିଦିନ ଖାଦ୍ୟରେ ନଡିଆ ସାମିଲ୍‌ କରିବା ସହ ନଡିଆ ପାଣି ପିଅନ୍ତୁ। *ଗାଧୋଇବା ପୂର୍ବରୁ ପ୍ରତିଦିନ ନଡିଆ ତେଲ ଲଗାଇବା ଦ୍ୱାରା ତ୍ୱଚା ଚିକ୍କଣ ଓ ସୁନ୍ଦର ହେବା ସହ ଶୀଘ୍ର ଲୋଚାକୋଚା ହେବ ନାହିଁ। * ଏସିଡିଟି ପାଇଁ ନଡିଆ ଏକ ଶ୍ରେଷ୍ଠ ଆୟୁର୍ବେଦ ଔଷଧ। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ପଇଡ଼ ଓ ନଡ଼ିଆକୁ ଖାଦ୍ୟ ପାନୀୟ ଓ ଔଷଧ ରୂପେ ବ୍ୟବହାର କଲେ ଏହା ଶରୀରକୁ ଅନେକ ସୁଫଳ ଦେବ।
ନଡ଼ିଆ ଏଠି ଆର୍ଥକ ମେରୁଦଣ୍ଡ
ନଡିଆ ଚାଷଠାରୁ ଆରମ୍ଭ କରି ନଡିଆ କତା ହସ୍ତଶିଳ୍ପ କ୍ଷେତ୍ରରେ ପ୍ରାଧାନ୍ୟ ରହିଥିବା ସାକ୍ଷୀଗୋପାଳକୁ ଅନେକେ ଓଡିଶାର ନାରିକେଳ ରାଜଧାନୀ ବୋଲି ମଧ୍ୟ କୁହନ୍ତି। ଭୁବନେଶ୍ୱରଠାରୁ ୪୦ ଓ ପୁରୀରୁ ୨୦ କିଲୋମିଟର ଦୂରରେ ରହିଛି ସାକ୍ଷୀଗୋପାଳ। ସାକ୍ଷୀଗୋପାଳଙ୍କ ଅବସ୍ଥାନକୁ ନେଇ ଏହା ଏକ ତୀର୍ଥସ୍ଥାନର ପରିଚୟ ପାଇଥିବାବେଳେ, ନଡ଼ିଆ ହେଉଛି ଏହାର ଅର୍ଥନୈତିକ ମେରୁଦଣ୍ଡ। ନଡ଼ିଆ ଓ ନଡ଼ିଆର ବିଭିନ୍ନ ଅଶଂକୁ ଉପଯୋଗ କରି ଗଢ଼ି ଉଠିଛି ଏଠାରେ ବ୍ୟବସାୟ ଓ ହସ୍ତଶିଳ୍ପ। ଏଠାକାର ଶତକଡ଼ା ୯୦ ଭାଗ ଲୋକଙ୍କର ଜୀବନ ଜୀବିକା ହେଉଛି ନଡ଼ିଆ। ନଡିଆ ଚାଷର ଉନ୍ନୟନ ନିମନ୍ତେ ଏଠାରେ ରହିଛି ଆଞ୍ଚଳିକ ନାରିକେଳ ଗବେଷଣା କେନ୍ଦ୍ର; ଯେଉଁଠି ବିଭିନ୍ନ କିସମର ନଡିଆ ଚାରା ପ୍ରସ୍ତୁତ ହେବା ସହ ଖତସାର ପ୍ରୟୋଗ, ରୋଗପୋକ ଦମନ ପାଇଁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଉଛି। ନଡ଼ିଆ ଚାଷୀମାନଙ୍କୁ ଉନ୍ନତ ବୈଷୟିକ ପରାମର୍ଶ ଦେବା ପାଇଁ କୃଷି ବିଭାଗ ଓ ପୁରୀ ଜିଲା କୃଷି ବଜ୍ଞାନ କେନ୍ଦ୍ର ରହିଛି। ସେହିପରି ଉପତ୍ାଦିତ ନଡିଆର ବିକ୍ରିବଟା ପାଇଁ ରହିଛି ସାକ୍ଷୀଗୋପାଳ ନିୟନ୍ତ୍ରୀତ ବଜାର। ନଡିଆକତାର ତନ୍ତୁରେ ବିଭିନ୍ନ ଘରକରଣା ଜିନିଷ ସହ କଳାକୃତି ପ୍ରସ୍ତୁତ କରି ଏଠାକାର ମହିଳାମାନେ ସ୍ବାବଲମ୍ବନଶୀଳ ହୋଇପାରିଛନ୍ତି।
ନଡିଆ ତୋଳିବା, ନଡିଆ ଛଡାଇବା, ଗୁଣାମତ୍କ ମାନ ପରଖିବା, ନଡିଆ ଗୋଦାମ ମାନଙ୍କରେ କାମ କରିବା ଠାରୁ ନଡିଆପତ୍ର ଖଡିକା ସଂଗ୍ରହ, ଖଡିକା ମୁଠା ପ୍ରସ୍ତୁତ କରିବା, ନଡିଆ କତାରେ ଦଉଡି, ପାପୋଛ, ଗାଲିଚା, କତା କଣ୍ଢେଇ, କତାଗଦି, କତାଗୁଣ୍ଡରେ ସାର ଓ ନଡିଆ ତେଲ ପ୍ରସ୍ତୁତ କରିବା ଆଦି କାମ ଏଠାକାର ଲୋକମାନଙ୍କୁ ଉପାର୍ଜନ କ୍ଷମ କରିପାରିଛି। ଉନ୍ନତ ପ୍ରଣାଳୀରେ ନଡ଼ିଆ ଚାଷ କରିବା ପାଇଁ ସରକାରୀ ସ୍ତରରେ ଚାଷୀଙ୍କୁ ପ୍ରୋତ୍ସାହନା ମିଳୁଛି। ଏମ ଜି ଏନ ଆର ଏସ ଯୋଜନାରେ ନଡିଆ ଚାଷୀ ମାନଙ୍କୁ ନିଜନିଜ ବଗିଚାରେ ନଡିଆ ଚାରା ରୋପଣ ପାଇଁ ମଜୁରୀ, ରୋଗପୋକ ନିରାକରଣ ଓ ଖତସାର ପ୍ରୟୋଗ ପାଇଁ ଆର୍ଥିକ ଅନୁଦାନ ଦିଆଯାଉଛି। ନଡିଆ ଚାଷ ଏକ ଲାଭକାରୀ ଫସଲ। ବିଳମ୍ବରେ ହେଲେ ମଧ୍ୟ ଏହା ଅଧିକ ଦିନ ପର୍ଯ୍ୟନ୍ତ ଆୟ ଦେଇଥାଏ। ସାକ୍ଷୀଗୋପାଳ ଓ ଏହାର ଆଖପାଖ ଅଞ୍ଚଳରେ ଉପତ୍ାଦିତ ନଡିଆର ବ୍ୟବସାୟ କ୍ଷେତ୍ରରେ ମାଇଲଖୁଣ୍ଟ ଭଳି ବିଗତ ୬୦ ଦଶକରୁ ସାକ୍ଷୀଗୋପାଳ ନିୟନ୍ତ୍ରୀତ ବଜାର କାମ କରୁଛି। ଦେଶର ଅନ୍ୟ ନଡିଆ ବଜାର ଭଳି  ଆମ ରାଜ୍ୟର ସାକ୍ଷୀଗୋପଳ ନିୟନ୍ତ୍ରୀତ ବଜାର ନଡିଆ କାରବାରର ଏକ ପେଣ୍ଠସ୍ଥଳୀ। ପୁରୀ ଜିଲ୍ଲାର ୭ଟି ବ୍ଲକ ମଧ୍ୟରେ ପୁରୀ ସଦର, ସତ୍ୟବାଦୀ, ବ୍ରହ୍ମଗିରୀ, କୃଷ୍ଣପ୍ରସାଦ, ଡେଲାଙ୍ଗ, କଣାସ ଓ ପିପିଲି ଅଞ୍ଚଳକୁ  ନେଇ ଏହାର ବଜାର। ସାକ୍ଷୀଗୋପାଳ ନିୟନ୍ତ୍ରୀତ ବଜାରରେ ସପ୍ତାହର ୬ ଦିନ ଏବଂ ମାଳତୀପାଟପୁର, ଗବକୁଣ୍ଡ, ବ୍ରହ୍ମଗିରୀ, ଅଣ୍ଡାଳସିଂହ- ବିଜିପୁର ବଜାରରେ ସପ୍ତାହର ଗୋଟିଏ ଦିନ ଚାଷୀ ମାନଙ୍କ ଠାରୁ ଖୋଲା ନିଲାମ ଜରିଆରେ ବ୍ୟବସାୟୀ ମାନେ ନଡିଆ କ୍ରୟ କରିବାର ସୁବିଧା କରାଯାଇଛି। ଏଠାରେ ୧୧୭ ଜଣ ନଡିଆ ବ୍ୟବସାୟୀ ପଞ୍ଜୀକୃତ ହୋଇଥିବା ବେଳେ ଇ-ନାମ ବ୍ୟବସ୍ଥାରେ ନଡିଆ କାରବାର ପାଇଁ ପ୍ରାୟ ୮୭ ଜଣ ବ୍ୟବସାୟୀ ଆଗ୍ରହ ପ୍ରକାଶ କରିଥିବା ଜଣାପଡିଛି। ଦୁରଦୁରାନ୍ତ ବଜାରକୁ ଏଠାରୁ ନଡିଆ ରପତ୍ାନୀ କରାଯାଉଛି। ଅନ୍‌ ଲାଇନରେ ନଡିଆ କାରବାର ସୁବିଧା ଯୋଗାଇ ଦେବାକୁ ଉଦ୍ୟମ ଆରମ୍ଭ କରାଯାଇଛି। ଏହି ପ୍ରକ୍ରିୟାକୁ ପସନ୍ଦକରି ଇ-ନାମ ବ୍ୟବସ୍ଥାରେ ଚାଷୀ ପଞ୍ଜୀକୃତ କ଼ରାଯାଉଛି। ସାକ୍ଷୀଗୋପାଳ ଅଞ୍ଚଳର ନଡିଆ ସ୍ବାଦିଷ୍ଟ ଏବଂ ଅଧିକଦିନ ରହିପାରିବା କ୍ଷମତା ଯୋଗୁ ଏହାର ବେଶ ଚାହିଦା ରହିଛି। କେବଳ ଦକ୍ଷିଣ ଭାରତକୁ ଛାଡିଦେଲେ ବର୍ଷର ବିଭିନ୍ନ ସମୟରେ ସାକ୍ଷୀଗୋପାଳରୁ ଟ୍ରକଯୋଗେ ରାଜ୍ୟ ତଥା ରାଜ୍ୟ ବାହାରକୁ ନଡିଆ ରପତ୍ାନି କରାଯାଉଛି। ଚାଷୀମାନେ ନଡିଆ ନିୟନ୍ତ୍ରୀତ ବଜାରରେ ପହଞ୍ଚାଇବା ପରେ ସେଠାରୁ ନିଲାମ ମାଧ୍ୟମରେ ବ୍ୟବସାୟୀ ମାନେ ନଡିଆ କ୍ରୟ କରନ୍ତି। ବଡ ଶୁଖିଲା ନଡିଆର ସବୁବେଳେ ସବୁ ସ୍ଥାନର ଚାହିଦା ରହିଥିବାରୁ ସେଗୁଡିକ ଭଲ ଦରରେ ବିକ୍ରୀ  କରାଯାଇଥାଏ।
ମହିଳା ଓ ଯୁବପିଢିଙ୍କୁ ଆତ୍ମନିର୍ଭରଶୀଳ କରି ଗଢ଼ି ତୋଳିବା ଦିଗରେ କତା ହସ୍ତଶିଳ୍ପର ଭୂମିକା ବହୁତ। ଦିନଥିଲା ନଡିଆ କତାକୁ ଜାଳେଣୀ ରୁପେ ବ୍ୟବହାର କରାଯାଉଥିଲା। ଗରୀବ ଗୁରୁବା ପରିବାରର ମହିଳାମାନେ ନଡିଆକତାକୁ ପାଣିରେ ଭଲ ଭାବରେ ଭିଜାଇ ନରମ କରିବା ପରେ କାଠ ପିଟଣାରେ ପିଟିପିଟି ତନ୍ତୁ ବାହର କରୁଥିଲେ। ଏହି ତନ୍ତୁକୁ ହାତରେ ବୋଳି ପ୍ରଥମେ କତାରଶି ପ୍ରସ୍ତୁତ କରାଯାଉଥିଲା। ଏଥିପାଇଁ ସେମାନଙ୍କୁ ଅକ୍ଳାନ୍ତ ପରିଶ୍ରମ କରିବାକୁ ପଡୁଥିଲା। ପ୍ରାୟ ଷାଠିଏ ଦଶକରେ ଅଳ୍ପ ସଂଖ୍ୟକ ମହିଳା ଶିଳ୍ପ ସମବାୟ ସମିତି ଗଠନ ଜରିଆରେ ଏହାକୁ ହସ୍ତକଳାର ରୁପଦେଇ କତାରେ ବ୍ରସ ପାପୋଛ, ରଶି ପାପୋଛ, ଗାଲିଚା ସହିତ ନାନା ରଙ୍ଗବେରଙ୍ଗର ଘର ସଜାଇବା ସାମଗ୍ରୀ ପ୍ରସ୍ତୁତ କଲେ। ସାକ୍ଷୀଗୋପାଳ ବ୍ୟତିତ ଉପକୁଳ ଜିଲାମାନଙ୍କ ମଧ୍ୟରେ ପୁରୀ, କଟକ, ବାଲେଶ୍ୱର ଓ ଗଞ୍ଜାମରେ ଏହି ଶିଳ୍ପକଳାକୁ ପହଞ୍ଚାଇ ବା ନିମନ୍ତେ ରାଜ୍ୟ ହସ୍ତ ଓ କୁଟୀର ଶିଳ୍ପ ବିଭାଗ ପକ୍ଷରୁ ୧୮ରୁ ୩୫ ବର୍ଷର ଯୁବତୀ ଓ ଯୁବକ ମାନଙ୍କୁ ଆମତ୍ନିର୍ଭରଶୀଳ କରିବା ଲକ୍ଷ୍ୟରେ ତାଲିମ ପ୍ରଦାନ କରିଥିଲେ। ଏଥିପାଇଁ ରାଜ୍ୟ ଓ କେନ୍ଦ୍ର କତାଶିଳ୍ପ ନିଗମ, ଖଦୀ ବୋର୍ଡ ଓ ବ୍ୟାଙ୍କ ଗୁଡିକ କତା କାରିଗର ମାନଙ୍କର ବିକାଶ ଦିଗରେ ସହଯୋଗର ହାତ ବଢ଼ାଇଛନ୍ତି। ଧିରେଧିରେ ବିଦ୍ୟୁତ ଚାଳିତ ଯନ୍ତ୍ରାଶଂରେ ସରଳ, ସହଜ ଓ ଉକୃଷ୍ଟମାନର କତା ସାମଗ୍ରୀ ପ୍ରସ୍ତୁତ କରାଯିବା ଫଳରେ କତା ଶିଳ୍ପ ଏବେ ଆଗକୁ ବଢିପାରିଛି।
ସାକ୍ଷୀଗୋପାଳରେ ରହିଥିବା ନଡିଆ ଗୋଦମମାନଙ୍କରେ ନଡିଆରୁ କତା ବାହାର କରି ନଡିଆ ବିକ୍ରୟ କରାଯାଇଥାଏ। ଗୋଦାମରୁ କତା ଗୁଡିକ ସଂଗ୍ରହକରି ସେଥିରୁ କତାପାରୁ ବା ତନ୍ତୁ ପ୍ରସ୍ତୁତ କରିବା ନିମନ୍ତେ ପ୍ରାୟ ୭ଶହ କତା ଫ୍ୟାକ୍ଟରୀ ରହଛି। ପ୍ରଥମେ କତାକୁ ଦୁଇରୁ ତିନିଦିନ ପାଣିରେ ଭିଜାଇବା ପରେ କ୍ରସରରେ ବାଡେଇ ନରମ କରାଯାଏ। ତନ୍ତୁ ପ୍ରସ୍ତୁତ ମେସିନରେ କତା ପକାଇବା ପରେ ସେଥିରୁ କତାପାରୁ ଓ କତାଗୁଣ୍ଡ ଅଲାଗା ଅଲଗା ବାହାରିଥାଏ। କତା ହସ୍ତଶିଳ୍ପ ସାମଗ୍ରୀ ସହିତ ଗଦି, କୁସନ, ରଶି ପ୍ରସ୍ତୁତ ନିମନ୍ତେ କତାପାରୁ ବଣ୍ଡଲ କରାଯାଇ କୁଇଣ୍ଟାଲ ଦରରେ ବିକ୍ରୀ କରାଯାଇଥାଏ। କତା ଗୁଣ୍ଡଗୁଡିକ କୁକୁଡା ଫାର୍ମରେ, ଜାଳେଣୀ ଓ ଜୈବିକ ସାର ଭାବରେ ବ୍ୟବହାର କରାଯାଇଥାଏ।
କତାପାରୁରେ ବିଭିନ୍ନ ମୋଟେଇର ରଶି ହସ୍ତ ଓ ବିଦ୍ୟୁତ ଚାଳିତ ଚରଖା ସାହାଯ୍ୟରେ ପ୍ରସ୍ତୁତ କରାଯାଇ ବଜାରରେ ବିକ୍ରୟ କରାଯାଉଛି। ସେହିପରି କତାପାରୁକୁ ରଙ୍ଗ କରିବା ନିମନ୍ତେ ନାଲି, ନେଳି, ବାଇଗଣି, ହଳଦିଆ, ଗୋଲାପି ଓ ଆକାଶି ରାସାୟନିକ ରଙ୍ଗ ଗରମ ପାଣିରେ ମିଶାଇ ନିର୍ଦ୍ଧାରିତ ଅନୁପାତ ଓ ସମୟ ପର୍ଯ୍ୟନ୍ତ ଶିଝାଇ ଛାଇ ସ୍ଥାନମାନଙ୍କରେ ଶୁଖାଇ ବ୍ୟବହାର ଉପଯୋଗୀ କରାଯାଏ। ବିଭିନ୍ନ ପ୍ରକାର ଓ ଆକାରର ବ୍ରସ ପାପୋଛ ପ୍ରସ୍ତୁତି ନିମନ୍ତେ ଗାଲିଚା ସହିତ ଘର ସଜାଇବା ଜିନିଷ ମହିଳାମାନେ ପ୍ରସ୍ତୁତ କରୁଛନ୍ତି। କିଛି ମହିଳା ଅବସର ସମୟରେ ଏହାକୁ ପ୍ରସ୍ତୁତ କରୁଥିବାବେଳେ କେତେକ ମହିଳା ଏହାକୁ ନେଇ ଘରୋଇ ଉଦ୍ୟୋଗ ପ୍ରତିଷ୍ଠା କରିଛନ୍ତି। ମହିଳା ଶିଳ୍ପ ସମବାୟ ସମିତି ଓ ସ୍ବୟଂ ସହାୟକ ଗୋଷ୍ଠୀ ଜରିଆରେ ମହିଳାମାନଙ୍କୁ ଏଦିଗରେ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ରାଜ୍ୟ ତଥା ରାଜ୍ୟ ବାହରେ ବିଭିନ୍ନ ମେଳା, ଯାତ୍ରା, ପର୍ଯ୍ୟଟନ ବଜାରରେ ଏହାକୁ ବିକ୍ରୟ କରାଯାଉଛି। ସାକ୍ଷୀଗୋପାଳ ନିକଟବର୍ତ୍ତୀ ସାତଶଂଖ, ତେଇଶିପୁର, ବୀରପ୍ରତାପପୁର, ରଘୁରାଜପୁର, ବୀରହରେକୃଷ୍ଣପୁର, ପ୍ରତାପ ପୁରୁଷୋତମପୁର, ଅଳଗୁମ, ରାୟଚକ୍ରଧରପୁର, କାଦୁଆ, ଶ୍ରୀରାମଚନ୍ଦ୍ରପୁର, ବୀରଗୋବିନ୍ଦପୁର, ବଳପୁର, ବୀରରାମଚନ୍ଦ୍ରପୁର, ପଣସପାଟଣା, ଗେଟ ବଜାର, ମଠସାହି, ମହାମାୟାସାହି, ବିଶ୍ୱନାଥପୁର, ପାଣିଭଣ୍ଡାର, ବରାଳ, ଚଣାଗୋରଡା, ବଣିଆସାହି, ବାସୁକେରା ଆଦି ଗ୍ରାମ ଗୁଡିକରେ କତା ହସ୍ତଶିଳ୍ପ କୁଟୀର ଶିଳ୍ପ ଭାବରେ ଗଢ଼ି ଉଠିଛି। ଗାଲିଚା ପ୍ରସ୍ତୁତ ନିମନ୍ତେ ତନ୍ତ, ବ୍ରସ ପାପୋଛ ନିମନ୍ତେ କାଠର ଫ୍ରେମ, ପଞ୍ଝା, କତୁରୀ, ରଶି ପ୍ରସ୍ତତି ନିମନ୍ତେ ଚରଖା ଆଦି ଯନ୍ତ୍ରାଶଂ ତିଆରି କରିବାକୁ ଏଠାରେ ଫ୍ୟାକ୍ଟରୀ ରହିଛି। କତା ଗୁଣ୍ଡରୁ ଖତସାର ପ୍ରସ୍ତୁତ କରାଯାଉଛି। ବିଭିନ୍ନ ଜୈବିକ ସାର ସହିତ କତାଗୁଣ୍ଡରେ ଜଳ ଧାରଣ ଶକ୍ତି ଅଧିକ ରହିଥିବାରୁ ଏହାର ଚାହିଦା ବଢୁଛି।
Share