Categories: ଜାତୀୟ

ନୂଆ ସଂସଦ ଭବନ ସହିତ କଫିନ ଫଟୋ: ରାଜନୈତିକ ବିବାଦ ଘନେଇଲା…

ପାଟନା,୨୮।୫ : ଲାଲୁ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ ଏକ ବିବାଦୀୟ ଟୁଇଟ କରିଛି। ଏଥିରେ ନୂତନ ସଂସଦ ଭବନ ସହିତ କଫିନର ଫଟୋ ମଧ୍ୟ ରହିଛି। ଏହା ପରେ ଭାଜପା ପକ୍ଷରୁ କଡ଼ା ସମାଲୋଚନା କରାଯାଇଛି। ଏନେଇ ବିହାର ରାଜନୀତିରେ ବିବାଦ ଆରମ୍ଭ ହୋଇଛି। ଯେତେବେଳେ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କୁ ଏ ବିଷୟରେ ପଚରାଗଲା, ସେ କହିଛନ୍ତି ଆମେ ଏପର୍ଯ୍ୟନ୍ତ ଏହାକୁ ଦେଖିନାହୁଁ। ଏ ବିଷୟରେ ମୋ ପାଖରେ କୌଣସି ସୂଚନା ନାହିଁ।

ଏହାକୁ ନେଇ ଦେଶଦ୍ରୋହ ମାମଲା ଦାଏର କରିବାକୁ ଭାଜପା ଦାବି କରିଛି। ବାସ୍ତବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ନୂତନ ସଂସଦ ଗୃହର ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଆରଜେଡି ସମେତ ୨୧ ଟି ଦଳ ବର୍ଜନ କରିଥିଲେ। ଏହି ପରିପ୍ରେକ୍ଷୀରେ, ଆରଜେଡିର ଟୁଇଟର ହ୍ୟାଣ୍ଡେଲରୁ ନୂତନ ସଂସଦର ଫଟୋ ସହିତ କଫିନର ଫଟୋ ମଧ୍ୟ ଶେୟାର କରାଯାଇଛି।

ଭାଜପା ଏମପି ସୁଶୀଲ ମୋଦି କହିଛନ୍ତି , ଆରଜେଡି ଏହାର ଟୁଇଟର ହ୍ୟାଣ୍ଡେଲରେ ନୂଆ ପାର୍ଲାମେଣ୍ଟ ହାଉସର ଚିତ୍ର ଏବଂ ଅନ୍ୟ ପଟେ କଫିନା ଚିତ୍ର ରଖିଛି। ପ୍ରଥମ ଚିତ୍ର ହେଉଛି ଭାରତର ଭବିଷ୍ୟତ ଏବଂ ଦ୍ୱିତୀୟ ଚିତ୍ର ହେଉଛି ଆରଜେଡିର ଭବିଷ୍ୟତ। ଭାରତର ଗର୍ବ ଦିନରେ କେବଳ ଆରଜେଡି ଏବଂ ଜେଡିୟୁ ଏଭଳି ଲଜ୍ଜାଜନକ କାର୍ଯ୍ୟ କରିପାରିବେ। ଏହା ପରେ ସେ ଗଣମାଧ୍ୟମ ସହ ଏକ ବାର୍ତ୍ତାଳାପରେ କହିଛନ୍ତି ଦେଶଦ୍ରୋହ ପାଇଁ ଏଭଳି ଲୋକଙ୍କୁ ବିଚାର କରାଯିବା ଉଚିତ।

Share