Categories: ଜାତୀୟ

ନୂଆବର୍ଷରେ ରେକର୍ଡ ଭାଙ୍ଗିଲା ଶୀତ

ନୂଆଦିଲ୍ଲୀ,୧।୧: ୨୦୨୦ ବିଦାୟ ଦେଇଛି। ସମସ୍ତେ ନିଜ ନିଜ ଶୈଳୀରେ ୨୦୨୧ ବର୍ଷକୁ ସ୍ବାଗତ କରିଛନ୍ତି। ନୂଆବର୍ଷରେ ରାଜଧାନୀ ଦିଲ୍ଲୀରେ ପ୍ରବଳ ଶୀତ ଅନୁଭୂତ ହୋଇଛି। ଅନେକ ଅଞ୍ଚଳରେ ନୂଆ ବର୍ଷର ପ୍ରଥମ ଦିନ ପାରା ୧.୧ ଡିଗ୍ରୀ ସେଲସିୟସକୁ ଖସି ଆସିଛି। ଗତ ୧୪ ବର୍ଷ ମଧ୍ୟରେ ଏହା ସର୍ବନିମ୍ନ ଅଟେ। ଅନେକ ଅଞ୍ଚଳରେ ସକାଳେ ଘନ କୁହୁଡ଼ି ହୋଇଥିଲା। ଶୁକ୍ରାବର ସକାଳ ୬ଟାରେ ସଫଦରଜଙ୍ଗ ଏବଂ ପାଲାମରେ ଘନ କୁହୁଡ଼ି ଯୋଗୁ ଟ୍ରାଫିକ ଗତି ମଧ୍ୟ ପ୍ରଭାବିତ ହୋଇଥିଲା। ପାଣିପାଗ ବିଭାଗ ଅନୁଯାୟୀ, ସଫଦରଜଙ୍ଗରେ ସର୍ବନିମ୍ନ ତାପମାତ୍ରା ୧.୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଏଥିସହିତ ଦିଲ୍ଲୀର ଅନ୍ୟ ଏକ ଅଞ୍ଚଳ ପାଲମ ୪.୬ ଡିଗ୍ରୀ ସେଲସିୟସ ରେକର୍ଡ କରିଛି। ଦିଲ୍ଲୀରେ ୩ ରୁ ୫ ଜାନୁଆରୀ ମଧ୍ୟରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହା ବ୍ୟତୀତ ପଶ୍ଚିମ ହିମାଚଳ ପ୍ରଦେଶରେ ତୁଷାରପାତ ହେବାର ଆଶଙ୍କା ରହିଛି। ସମତଳ ଅଞ୍ଚଳରେ ଥଣ୍ଡା ତରଙ୍ଗର ପୂର୍ବାନୁମାନ କରିଛି ବିଭାଗ। ସୂଚନାଯୋଗ୍ୟ, ଜାନୁଆରୀ ୮, ୨୦୦୬ରେ, ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୦.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା। ଗତ ବର୍ଷ ସର୍ବନିମ୍ନ ତାପମାତ୍ରା ୨.୪ ଡିଗ୍ରୀ ସେଲସିୟସ ଥିଲା।

Share