ନୂଆଦିଲ୍ଲୀ, ୯ା୪(ପି.ଟି.): ସଶସ୍ତ୍ର ବଳରେ ମିଳିତ କାର୍ଯ୍ୟ ସଂସ୍କୃତିର ବିକାଶ ପାଇଁ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ଜେନେରାଲ ଅନିଲ ଚୌହାନ ସୋମବାର ଆହ୍ବାନ ଦେଇଛନ୍ତି। ରାଷ୍ଟ୍ରର ସମୂହ ଯୁଦ୍ଧ ଲଢ଼ିବା ସାମର୍ଥ୍ୟ ବଢ଼ାଉଥିବା ଢାଞ୍ଚା ସୃଷ୍ଟି ଦ୍ୱାରା ପ୍ରତି ବାହିନୀର ସାମର୍ଥ୍ୟରେ ସମନ୍ବୟ ଆଣିବା ଆବଶ୍ୟକ ବୋଲି ତିନି ବାହିନୀର ସମ୍ମିଳନୀ ‘ପରିବର୍ତ୍ତନ ଚିନ୍ତନ’ରେ ଉଦ୍ବୋଧନ ଦେଇ ସିଡିଏସ୍ କହିଛନ୍ତି। ୩ ବାହିନୀ ମଧ୍ୟରେ ଏକତା ଓ ସମନ୍ବୟକୁ ଅଧିକ ବଢ଼ାଇବା ପାଇଁ ନୂଆ ଚିନ୍ତାଧାରା, ଉପକ୍ରମ ଓ ସଂସ୍କାର ଉପରେ ସମ୍ମିଳନୀରେ ମାନସ ମନ୍ଥନ ହୋଇଥିଲା। ଭାରତୀୟ ସେନାକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବାକୁ ହେଲେ ପାରମ୍ପରିକ ସାମରିକ ଧାରଣାକୁ ନୂତନ ଦୃଷ୍ଟିକୋଣ ଦେବାକୁ ହେବ। ପ୍ରତି ସର୍ଭିସ୍ର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଉପରେ ସିଡିଏସ୍ ଗୁରୁତ୍ୱ ଦେଇଥିଲେ।