ବଳରାମପୁରରେ ପୁଣି ଧସିଲା ବୈତରଣୀ ନଦୀବନ୍ଧ

ଝୁମ୍ପୁରୀ/ଦଶରଥପରୁ,୧୮ା୮(ସରୋଜ ନାୟକ/ମନୋଜ ପୃଷ୍ଟି): ପୁଣି ବୈତରଣୀ ନଦୀ ବନ୍ଧରୁ ପ୍ରାୟ ୫୦ ଫୁଟ୍‌ରୁ ଊର୍ଦ୍ଧ୍ୱ ନଦୀଗର୍ଭରେ ଲୀନ ହୋଇଯାଇଛି। ଫଳରେ ୩ ପଞ୍ଚାୟତର ଅଧିବାସୀଙ୍କ ମନରେ କୋକୁଆ ଭୟ ଖେଳିଯାଇଛି। ଏପରି ଅବସ୍ଥା ସୃଷ୍ଟି ହୋଇଛି ଦଶରଥପୁର ବ୍ଲକ୍‌ କମାରଡ଼ିହ ପଞ୍ଚାୟତସ୍ଥ ବଳରାମପୁର ଗ୍ରାମରେ। ଗୁରୁବାର ସକାଳେ ଏହି ଗ୍ରାମ ନିକଟରେ ନିର୍ମାଣାଧୀନ ବୈତରଣୀ ନଦୀବନ୍ଧ ହଠାତ୍‌ ଧସପଡ଼ିବାରୁ ଲୋକେ ଭୟଭିତ ହୋଇ ପଡ଼ିଛନ୍ତି।
ଗତ ୮ ଦିନ ତଳେ ସେହି ବନ୍ଧର ଦତ୍ତପୁରଠାରେ ପ୍ରାୟ ୧୦୦ ଫୁଟ୍‌ରୁ ଊର୍ଦ୍ଧ୍ୱ ନଦୀବନ୍ଧ ଧସିଯାଇଥିଲା। ଯାଜପୁର ଜଳସମ୍ପଦ ବିଭାଗ ପକ୍ଷରୁ ପ୍ରାୟ ୧୨ କୋଟି ଟଙ୍କାର ଅନୁଦାନ ଯୋଗାଇ ଦିଆଯାଇ ଓଡ଼ିଶା ନିର୍ମାଣ ନିଗମ ଲିମିଟେଡ୍‌ ମାଧ୍ୟମରେ ଏହି ବନ୍ଧର ନିର୍ମାଣ କାର୍ଯ୍ୟ ଚାଲୁରହିଛି। ଯାଜପୁରର ଜଣେ ଠିକାଦାର ଏହି ବନ୍ଧର ନିର୍ମାଣ କାର୍ଯ୍ୟ ଓଡ଼ିଶା ନିର୍ମାଣ ନିଗମ ଲିମିଟେଡ୍‌ ଠାରୁ ଆଣି କରୁଥିବାବେଳେ କାର୍ଯ୍ୟ ଅତି ନିମ୍ନମାନର ହୋଇଥିବାରୁ ବନ୍ଧ ବାରମ୍ବାର ଧସିଯାଉଛି ବୋଲି ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହାପୂର୍ବରୁ ସେହି ବନ୍ଧ ଉପରେ ୨୦୨୦-୨୧ ଆର୍ଥିକ ବର୍ଷରେ ନାବାର୍ଡ ସହାୟତାରେ ପ୍ରାୟ ୧୧ କୋଟି ୩୩ ଲକ୍ଷ ୫୦ ହଜାର ଟଙ୍କାର କାର୍ଯ୍ୟ ଓଡ଼ିଶା ନିର୍ମାଣ ନିଗମ ଲିମିଟେଡ୍‌ ପକ୍ଷରୁ କରାଯାଇଥିଲା। ସେତେବେଳେ ରାଜନୈତିକ ଚାପରେ ୨/୩ ଅନଭିଜ୍ଞ ଠିକାଦାରଙ୍କୁ ଏହି ବନ୍ଧର ନିର୍ମାଣ କାର୍ଯ୍ୟ ଦିଆଯାଇଥିବାବେଳେ ଅତି ନିମ୍ନମାନର କାର୍ଯ୍ୟ ପାଇଁ ଲୋକେ ଅସନ୍ତୁଷ୍ଟ ହୋଇଥିଲେ। ଗୁରୁବାର ବନ୍ଧ ଧସିବା ପରେ ଓଡ଼ିଶା ନିର୍ମାଣ ନିଗମ ଲିମିଟେଡ୍‌ ଦ୍ୱାରା ନିର୍ମାଣାଧୀନ ଏହି ବନ୍ଧର କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ବୋଲି ପ୍ରମାଣିତ ହୋଇଥିବା ପଞ୍ଚାୟତର ପୂର୍ବତନ ସମିତିସଭ୍ୟ ମଳୟ ପଣ୍ଡା ଅଭିଯୋଗ କରିଛନ୍ତି। ଗତ ପ୍ରାୟ ୪ ବର୍ଷ ମଧ୍ୟରେ ଏହି ବନ୍ଧ ନିର୍ମାଣରେ ୨୪ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ହୋଇଛି। ମାତ୍ର ବନ୍ଧର ଏପରି ଅବସ୍ଥା ପାଇଁ ଲୋକେ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ତେଣୁ ତୁରନ୍ତ ଏହି ନଦୀବନ୍ଧ କାର୍ଯ୍ୟର ଭିଜିଲାନ୍ସ ତଦନ୍ତ କରାଯିବା ସହ ଆଗକୁ ବଡ଼ ବର୍ଷା ଆସୁଥିବାରୁ ଧସିଥିବା ବନ୍ଧର ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି। ଏ ସମ୍ପର୍କରେ ଯାଜପୁର ଜଳସମ୍ପଦ ବିଭାଗ ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।

Share