ବାରାଣସୀ,୩୧।୧୦: ଉତ୍ତରପ୍ରଦେଶର ଚନ୍ଦାଉଲି ଜିଲା ଅନ୍ତର୍ଗତ ସରାୟା ଗ୍ରାମ ନିକଟରେ ଏକ ପୁରୁଣା କଲ୍ଭର୍ଟ ସୋମବାର ସକାଳେ ଭୁଶୁଡ଼ି ପଡ଼ିବାରୁ ବହୁ ଲୋକ କେନାଲରେ ଖସିପଡ଼ିଥିଲେ। ଛଟ୍ ପୂଜା ପାଇଁ ସରାୟା ଓ ଆଖପାଖ ଗାଁର ଲୋକମାନେ କର୍ମନାଶା କେନାଲ ଉପରେ ରୁଣ୍ଡ ହୋଇଥିବାବେଳେ କଲ୍ଭର୍ଟର କିଛି ଅଂଶ ଭୁଶୁଡ଼ି ପଡ଼ିଥିଲା। ଫଳରେ କଲ୍ଭର୍ଟ ଉପରେ ଛିଡ଼ା ହୋଇଥିବା ଅନେକ ଲୋକ କେନାଲରେ ପଡ଼ିଯାଇଥିଲେ। ସେଠାରେ ଉପସ୍ଥିତ ଥିବା ଲୋକେ ସେମାନଙ୍କୁ ଉଦ୍ଧାର କରିଥିଲେ।