କୋରାପୁଟ,୨୯।୯(ସ୍ବ.ପ୍ର.): କୋରାପୁଟ ସହରରେ ବୁଧବାର ରାତିରେ ଘଡଘଡି ସାଙ୍ଗକୁ ପ୍ରବଳ ବର୍ଷା ହୋଇଛି। ଏଥିରେ କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲର ପାଚେରି ଭୁଶୁଡି ପଡ଼ିଛି। ପାଚେରି ଭୁଶୁଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଏକ କାର ଓ ସ୍କୁଟି ଚାପି ହୋଇ ନଷ୍ଟ ହୋଇଯାଇଛି। ମୃତ ଯୁବକ ହେଲେ ସହରର ଯୁବ ବ୍ୟବସାୟୀ ଅନିଲ ଚୌଧୁରୀ।
ସୂଚନାଯୋଗ୍ୟ, ବର୍ଷାଯୋଗୁ କୋରାପୁଟ ମେଡିକାଲର ଆହାରକେନ୍ଦ୍ର ପଛପଟେ ଥିବା ବଡ଼ ପାଚେରି ଭୁଶୁଡି ପଡିଥିଲା। ସେହି ସମୟରେ ଅନିଲ ଖାଦ୍ୟ ପାର୍ସଲ ନେଇ ସ୍କୁଟିରେ ଯାଉଥିବାବେଳେ ପାଚେରି କାନ୍ଥ ତାଙ୍କ ଉପରେ ପଡ଼ିବାରୁ ତାଙ୍କ ଛାତି ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏଥିରେ ଏକ କାର୍ ସହ ଅନିଲଙ୍କ ସ୍କୁଟି ନଷ୍ଟ ହୋଇଯାଇଛି। ପୋଲିସ ତଦନ୍ତ ଆରମ୍ଭ କରିଛି।