ବାସୁଦେବପୁର, ୧୬।୭ (ନାରାୟଣ ପ୍ରସାଦ ବାରିକ୍): ଭଦ୍ରକ ଜିଲା ବାସୁଦେବପୁର ପୌରପାଳିକାର ୨୧ ନଂ. ୱାର୍ଡ ବଂଶୀପାଟଣା ଗ୍ରାମରେ ମୁଖ୍ୟମନ୍ତ୍ରୀ କର୍ମତପତ୍ର ଅଭିଯାନ ଯୋଜନାରେ ୨୦୨୨-୨୩ ଆର୍ଥିକ ବର୍ଷରେ ନିର୍ମାଣାଧୀନ ଏକ ପାର୍କର ଉତ୍ତରପାଖ ପାଚେରି ଶନିବାର ବର୍ଷାରେ ଭୁଶୁଡ଼ି ପଡ଼ିଛି। ଏହି ଯୋଜନାକୁ ସହରାଞ୍ଚଳରେ ରାଜ୍ୟ ସରକାର ପ୍ରାଧ୍ୟାନ୍ୟ ଦେଇ ମହିଳା ଗୋଷ୍ଠୀଙ୍କ ମାଧ୍ୟମରେ ପାକର୍ର୍ ପାଇଁ ମାଟିପୋତା କାର୍ଯ୍ୟ ସହ ପାଚେରି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରକଳ୍ପ କାର୍ଯ୍ୟର ତଦାରଖ ଅଭାବ ସହ ନିମ୍ନମାନର କାର୍ଯ୍ୟ ଯୋଗୁ ବର୍ଷା ସହ ମାଟି ଦବିଯିବାରୁ ଏହି ପାର୍କର ପାଚେରି ପ୍ରାୟ ୫୦ ଫୁଟ୍ ମାଟିରେ ମିଶିଯାଇଛି। ଯନ୍ତ୍ରୀଙ୍କ ତଦାରଖ ଅଭାବରୁ ପାଚେରି ଭୁଶୁଡ଼ି ପଡ଼ିଥିବା ସାଧାରଣରେ ଅଭିଯୋଗ ହେଉଥିବା ବେଳେ ପ୍ରକଳ୍ପର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନ ଉଠିଛି।
ଏନେଇ ପୌର ନିର୍ବାହୀ ଅଧିକାରୀ ମାନସ କୁମାର ଦଣ୍ଡପାଟଙ୍କୁ ପଚାରିବାରୁ ଅତ୍ୟଧିକ ବର୍ଷା ସହ କେତେକ ବୈଷୟିକ ତ୍ରୁଟି ପାଇଁ ଏପରି ଘଟିଛି ବୋଲି ସ୍ବୀକାର କରିବା ସହ ଘଟଣାର ଅନୁସନ୍ଧାନ କରାଯାଉଛି ବୋଲି କହିଛନ୍ତି। ଅପରପକ୍ଷେ ମୁକ୍ତା ଯୋଜନା ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନକୁ ସୁପରିଚାଳନା ପାଇଁ ନିଯୁକ୍ତିପ୍ରାପ୍ତ ଅଧିକାରୀ ଓ କର୍ମଚାରୀଙ୍କ କ୍ଷେତ୍ରୀୟ ତଦାରଖ ଅଭାବରୁ ଏଭଳି ଘଟଣା ଘଟୁଛି ବୋଲି ଅଭିଯୋଗ ହେବା ସହ ଏହାର ତଦନ୍ତ ଓ କ୍ଷେତ୍ରୀୟ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।