କିନ୍ନର ବେଶରେ ମାଗୁଥିଲେ ଚାନ୍ଦା

ରାଉରକେଲା ଅଫିସ,୧୭ା୧୦: ରାଉରକେଲା ସହରର ବିଭିନ୍ନ ସ୍ଥାନରେ କିଛି ଯୁବକ ନକଲି କିନ୍ନର ସାଜି ଭିକ୍ଷା ବୃତ୍ତି କରୁଥିବା ୧୫ ନଂ. ଥାନାରେ ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ୫ ଜଣ ନକଲି କିନ୍ନରଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି।
ଦୀର୍ଘ ଦିନ ହେବ ରାଉରକେଲା ସହରରେ ନକଲି କିନ୍ନରଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। କିନ୍ନରମାନଙ୍କୁ ବଦନାମ କରିବା ପାଇଁ ସହର କିଛି ବେକାରୀ ଯୁବକ ନକଲି କିନ୍ନର ସାଜି ସିଭିଲଟାଉସିପ୍‌, ଝିରପାଣି, ବିଶ୍ରା ଅଞ୍ଚଳରେ ଜୋର ଜବରଦସ୍ତ ଚାନ୍ଦା ଆଦାୟ କରୁଥିଲେ। ଏ ନେଇ କିନ୍ନର ଆସୋସିଏଶନ ପକ୍ଷରୁ ରଘୁନାଥପାଲି ଥାନା ଓ ଝିରପାଣି ଥାନାରେ ପୂର୍ବରୁ ଅଭିଯୋଗ ହୋଇଛି। ଶନିବାର ସେକ୍ଟର-୧୫ରେ ଏଭଳି ନକଲି କିନ୍ନର ଦଳ ଚାନ୍ଦା ଆଦାୟ କରୁଥିବା ବେଳେ ପୋଲିସ ହାବୁଡରେ ପଡ଼ିଯାଇଥିଲେ। କିନ୍ନରମାନଙ୍କୁ ବଦନାମ କରୁଥିବା ଦୁର୍ବୃତ୍ତଙ୍କ ଉପରେ ପୋଲିସ ପକ୍ଷରୁ କଡା ପଦକ୍ଷେପ ନିଆଯାଉ ବୋଲି ସୁନ୍ଦରଗଡ଼ ଜିଲା କିନ୍ନର ଆସୋସିଏଶନର ସଭାପତି ଜୟା ତ୍ରିପାଠୀ ଦାବି କରିଛନ୍ତି।

Share