ଭୁବନେଶ୍ୱର,୧୫ା୩(ବ୍ୟୁରୋ):ଆସନ୍ତା ମେ ୧ ତାରିଖରୁ ରାଜ୍ୟରେ ରବି ଧାନ ସଂଗ୍ରହ ଆରମ୍ଭ ହେବ। ଏହା ଜୁନ୍ ୩୦ ତାରିଖ ଯାଏ ଚାଲିବ। ରବି ଧାନ ସଂଗ୍ରହ ହେବାକୁ ଥିବା ବାଲେଶ୍ୱର, ବରଗଡ଼, ବଲାଙ୍ଗୀର, ବୌଦ୍ଧ, କଟକ, ଯାଜପୁର, ଝାରସୁୁଗୁଡ଼ା, କଳାହାଣ୍ଡି, ଖୋର୍ଦ୍ଧା, କୋରାପୁଟ, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା, ପୁରୀ, ରାୟଗଡ଼ା, ସମ୍ବଲପୁର ଏବଂ ସୁବର୍ଣ୍ଣପୁର ଜିଲାର ଜିଲାପାଳଙ୍କୁ ଧାନ ସଂଗ୍ରହ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସଚିବ ବୀର ବିକ୍ରମ ଯାଦବ ଗାଇଡଲାଇନ ଜାରି କରିଛନ୍ତି। ଖାଦ୍ୟ ଓ ସଂଗ୍ରହ ନୀତି -୨୦୨୧-୨୨ ଏବଂ ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ଗାଇଡ ଲାଇନ ଅନୁଯାୟୀ ରବି ଧାନ ସଂଗ୍ରହ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଧାନ ସଂଗ୍ରହ କରିବା ପୂର୍ବରୁ ଏପ୍ରିଲ ଦ୍ୱିତୀୟ ସପ୍ତାହରେ ଜିଲା ସ୍ତରୀୟ ବୈଠକ କରିବାକୁ ଜିଲାପାଳମାନଙ୍କୁ କୁହାଯାଇଛି। କେଉଁଦିନ ନିଜ ଜିଲାରେ ଧାନ ସଂଗ୍ରହ ହେବ ସେ ନେଇ ଜିଲାପାଳମାନେ ଦିନ ଧାର୍ଯ୍ୟ କରିବେ। ଧାନ ସଂଗ୍ରହ ପୂର୍ବରୁ ପାକ୍ସ, ଲ୍ୟାମ୍ପସ, ମହିଳା ସ୍ବୟଂସହାୟକ ଗୋଷ୍ଠୀ, ପାଣି ପଞ୍ଚାୟତଗୁଡ଼ିକର ମାନବ ସମ୍ବଳ, ଭିତ୍ତିଭୂମି, ଆର୍ଥିକ ସ୍ଥିତି, ଗୋଦାମ କ୍ଷମତା ଏବଂ ଗତବର୍ଷଗୁଡ଼ିକର ପ୍ରଦର୍ଶନକୁ ଦେଖି ଚୟନ କରିବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଧାନ ସଂଗ୍ରହ ପୂର୍ବରୁ ଚାଷୀମାନେ ନିଜର ନାମ ପଞ୍ଜୀକୃତ କରିବା ବାଧ୍ୟତାମୂଳକ। ଧାନ ସଂଗ୍ରହ କାର୍ଯ୍ୟରେ ନିୟୋଜିତ ସୋସାଇଟି, ସଂଗଠନ ମେ ୧ ତାରିଖ ପୂର୍ବରୁ ମଣ୍ଡିଗୁଡିକୁ ପ୍ରସ୍ତୁତ କରିବାକୁ କୁହାଯାଇଛି। ଭାରତୀୟ ଖାଦ୍ୟ ନିଗମ ଓ ଯୋଗାଣ ନିଗମକୁ ଯୋଗାଇ ଦିଆଯାଉଥିବା ଚାଉଳକୁ ଜିଲାପାଳମାନେ ନିୟମିତ ସମୀକ୍ଷା କରିବା ଦରକାର। ଯଦି କୌଣସି ସମସ୍ୟା ଦେଖାଦେବ ତେବେ ଜିଲା ଓ ସବ୍ଡିଭିଜନ ସ୍ତରୀୟ ସ୍କ୍ବାଡକୁ ଜଣାଇବାକୁ କୁହାଯାଇଛି। କୌଣସି ମଣ୍ଡିରେ ଯେପରି ଧାନ ନ ରହିବ ସେ ନେଇ ନିଶ୍ଚିତ କରିବାକୁ କୁହାଯାଇଛି।