ବ୍ରାହ୍ମଣୀ ନଦୀରୁ ଜଳ ନମୁନା ସଂଗ୍ରହ

ଯାଜପୁର,୯ା୨(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ବ୍ରାହ୍ମଣୀ ଏବଂ ଏହାର ଶାଖା ଖରସ୍ରୋତା ନଦୀତଟବର୍ତ୍ତୀ ଅଞ୍ଚଳର ୯ଟି ସ୍ଥାନରୁ ଗୁରୁବାର ସେଣ୍ଟ୍ରାଲ ପଲ୍ୟୁଶନ କଣ୍ଟ୍ରୋଲ ବୋର୍ଡ(ସିପିସିବି) ପକ୍ଷରୁ ନଦୀଜଳ ନମୁନା ସଂଗ୍ରହ କରାଯାଇଛି। କବାଟବନ୍ଧ, ମାର୍ଥାପୁର, ଦେଉଳକଣା, କୁସୁମପୁର, ଯୋକଡିଆ ଆଦି ସ୍ଥାନରୁ ଉକ୍ତ ଜଳ ନମୁନା ସଂଗ୍ରହ ହୋଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସିପିସିବିର ଏକ ୪ ଜଣିଆ ବିଶେଷଜ୍ଞ ପ୍ରତିନିଧି ଦଳ ଏହି ତଦନ୍ତ ପ୍ରକ୍ରିୟାରେ ସାମିଲ ହୋଇଥିବା ସୂଚନା ମିଳିଛି।
ଯାଜପୁର ଜିଲା ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀ ଗର୍ଭରେ କଳିଙ୍ଗନଗର ଶିଳ୍ପାଞ୍ଚଳର ଗଣ୍ଡାନାଳ ସମେତ ରନତ୍ଗର୍ଭ,ସୁକିନ୍ଦାର ଡମଶାଳା ନଦୀ ମିଶିଛି। ଗଣ୍ଡାନାଳ ଓ ଡମଶାଳା ନଦୀ ପାଣିରେ ଉଭୟ ଖଣି ଓ ଶିଳ୍ପର ବର୍ଜ୍ୟବସ୍ତୁ ମିଶି ବ୍ରାହ୍ମଣୀ ନଦୀକୁ ପ୍ରଦୂଷିତ କରୁଥିବା ପୂର୍ବରୁ ଅଭିଯୋଗ ହୋଇ ଆସୁଛି। ଏହାବାଦ ଉପରମୁଣ୍ଡରେ ଅନୁଗୋଳ ଓ ରାଉରକେଲାର ସହର ସମେତ ବିଭିନ୍ନ ଶିଳ୍ପାନୁଷ୍ଠାନଗୁଡ଼ିକର ବର୍ଜ୍ୟବସ୍ଥୁ ମିଶିବା ଫଳରେ ଏହାର ପାଣି ତୀବ୍ର ଜହର ହେଉଛି। ଏହାର ପ୍ରତିବାଦରେ ଜନ ଆନ୍ଦୋଳନ ହେବା ସହିତ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ଗତ ୨୮ା୮ା୨୦୧୫ ତାରିଖରେ ହାଇକୋର୍ଟ ସେହି ଜନସ୍ବାର୍ଥ ମାମଲାର ବିଚାର କରି ଗଣ୍ଡନାଳର ଜଳ ପ୍ରଦୂଷଣକୁ ନେଇ ରାଜ୍ୟର ମୁଖ୍ୟ ଶାସନ ସଚିବ, ଶିଳ୍ପ, ଖଣି, ଜଳ ସମ୍ପଦ, ଜଙ୍ଗଲ ଓ ପରିବେଶ ସଚିବଙ୍କ ସମେତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି)ର ଅଧ୍ୟକ୍ଷ, ସିପିସିବିର ଅଧ୍ୟକ୍ଷ ଏବଂ ଝାରସୁଗୁଡ଼ା, ଯାଜପୁର, ତାଳଚେର ଓ କେନ୍ଦୁଝର ଜିଲାପାଳଙ୍କୁ ପକ୍ଷଭୁକ୍ତ କରିଥିଲେ। ବ୍ରାହ୍ମଣୀ ଓ ଏହାର ଶାଖାନଦୀଗୁଡ଼ିକର ଜଳ ପ୍ରଦୂଷଣ ମୁକ୍ତ କରିବାକୁ ହାଇକୋର୍ଟ ପକ୍ଷରୁ ହୋଇଥିବା ରାୟରେ ପ୍ରକାଶ ପାଇଥିଲା। ଏହି କ୍ରମରେ ଗତ ୨୪ା୯ା୨୦୧୫ରେ ଗଣ୍ଡନାଳାର ଜଳ ପ୍ରଦୂଷଣକୁ ରୋକିବାକୁ ତାହାର ତଟବର୍ତ୍ତୀ କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ସିଇଟିପି(ସେଣ୍ଟ୍ରାଲ ଇଫ୍ଲୁଏଣ୍ଟ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ) ଲଗାଇବାକୁ ଏସ୍‌ପିସିବି ପକ୍ଷରୁ ପରାମର୍ଶ ଦିଆଯାଇଥିଲା। କିନ୍ତୁ ଏହାକୁ କେହି ମାନି ନ ଥିଲେ। ଏହାପରେ ନିୟମିତ ବ୍ୟବଧାନରେ ସିପିସିବି ଓ ଏସ୍‌ପିସିବି ପକ୍ଷରୁ ବ୍ରାହ୍ମଣୀ ଓ ଖରସ୍ରୋତା ନଦୀର ବିଭିନ୍ନ ସ୍ଥାନରୁ ନଦୀଜଳ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଉଛି। ଉକ୍ତ ପରୀକ୍ଷାରେ ବ୍ରାହ୍ମଣୀ ନଦୀଜଳରେ ଉଦ୍ଦିଷ୍ଟ ପରିମାଣଠାରୁ ଢେର ଗୁଣ ଅଧିକ ବାୟୋଲୋଜିକାଲ ଅକ୍ସିଜେନ ଡିମାଣ୍ଡ(ବିଓଡି), ଟୋଟାଲ କୋଲିଫର୍ମ(ଟିସି), ଡିଜଲଭଡ୍‌ ଅକ୍ସିଜେନ(ଡିଓ) ପ୍ରଭୃତି ମାରାତ୍ମକ ଦ୍ରବ୍ୟ ବାହାରୁଥିବା ଜଣାପଡିଛି। ଏହିକ୍ରମରେ ୨୦୨୩ ଜାନୁଆରୀଠାରୁ ଡିସେମ୍ବର ପର୍ଯ୍ୟନ୍ତ ରାଜ୍ୟରେ ପ୍ରବାହିତ ୧୧ ନଦୀ ସମୂହ ମଧ୍ୟରୁ ୧୨୯ ସ୍ଥାନରେ ଜଳର ବ୍ୟବହାରିକ ଗୁଣବତ୍ତାକୁ ପରୀକ୍ଷା କରାଯାଇଥିଲା। ସେଥିରୁ ୧୩ଟି ସ୍ଥାନରେ ବିଓଡି ଓ ଟିସି, ଗୋଟିଏ ସ୍ଥାନରେ ବିଓଡି, ୨ଟି ସ୍ଥାନରେ ଡିଓ ଓ ୧୦ଟି ସ୍ଥାନରେ ସିଟି ଉର୍ଦ୍ଦିଷ୍ଟ ମାନରୁ ଅଧିକ ଥିବା ଜଣାପଡିଛି। ଏହାପୂର୍ବରୁ ଗତ ୨୦ା୯ା୨୦୧୮ରେ ନଦୀଜଳର ପ୍ରଦୂଷଣ ନିରାକରଣ ପାଇଁ ଜଙ୍ଗଲ ଓ ପରିବେଶ ବିଭାଗର ପ୍ରିନ୍ସିପାଲ ସେକ୍ରେଟାରୀଙ୍କ ନେତୃତ୍ୱରେ ଏକ ୫ ଜଣିଆ କମିଟି ଗଠନ କରିବାକୁ ଏନ୍‌ଜିଟି ରାୟରେ ନିର୍ଦ୍ଦେଶ ଜାରି ହୋଇଥିଲା। ହାଇକୋର୍ଟ ଓ ଏନ୍‌ଜିଟିର ନିର୍ଦ୍ଦେଶ ଅନୁସାରେ ବ୍ରାହ୍ମଣୀ ନଦୀ ତଟବର୍ତ୍ତୀ ଉପରୋକ୍ତ ଅଞ୍ଚଳରେ ଏଯାଏ ସିଇଟିପି ଲାଗି ପାରିନାହିଁ। ତେଣୁ କଳିଙ୍ଗନଗର ଶିଳ୍ପାଞ୍ଚଳର ୧୦ରୁ ଊର୍ଦ୍ଧ୍ୱ କାରଖାନା ବ୍ରାହ୍ମଣୀ ଓ ଏହାର ଉପନଦୀ ଖରସ୍ରୋତାରୁ ନିର୍ମଳ ପାଣି ନେଇ ସ୍ଥାନୀୟ ଅଞ୍ଚଳକୁ ଗରଳ ଛାଡ଼ୁଛି। ଏହାବାଦ୍‌ ରନତ୍ଗର୍ଭା ସୁକିନ୍ଦା ଖଣି ପରିସରର ବର୍ଷା ପାଣି ଡମଶାଳା ଦେଇ ବ୍ରାହ୍ମଣୀରେ ମିଶୁଛି। ତେଣୁ ଏହିସବୁର ପ୍ରତିକାର ପାଇଁ ସିବିସିବି ପକ୍ଷରୁ ଜଳ ନମୁନା ସଂଗ୍ରହ ହୋଇଥିବା ଅନୁମାନ କରାଯାଇଛି। ତେବେ ସିପିସିବି କମିଟିରେ ସ୍ଥାନୀୟ ଏସ୍‌ପିସିବିର କଳିଙ୍ଗନଗର ଆଞ୍ଚଳିକ କାର୍ଯ୍ୟାଳୟର କୌଣସି ଅଧିକାରୀ ସାମିଲ ହୋଇ ନ ଥିବା ଜଣାପଡିଛି।

Share