ବିଶ୍ୱଶାନ୍ତି ପାଇଁ ସାମୂହିକ ପ୍ରାର୍ଥନା

ରାଉରକେଲା,୨୬।୯(ଦିନେଶ ମିଶ୍ର): ରାଉରକେଲା ଓରାମପଡା ସ୍ଥିତ କୁଡୁଖ ସଭାସ୍ଥଳରେ ଦୁର୍ଗାପୁର ପାଡ୍‌ହା ପୂଜା କମିଟି ପକ୍ଷରୁ ସଭାପତି ଗାଙ୍ଗୀ ଲାକ୍ରାଙ୍କ ଅଧ୍ୟକ୍ଷତାରେ ସୋମବାର ରାଜୀବ କରମା ପୂଜା ମହୋତ୍ସବ ପାଳିତ ହୋଇଛି। ଏଥିରେ ଦୁର୍ଗାପୁର ମୌଜାର ଓରାମପଡା, ମହୁଲପାଲି, ଗାଡାଟୋଲା ଅଞ୍ଚଳର ଶତାଧିକ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ। ପାହାଣ ଭାବେ ସୁନ୍ଦରା ମିଞ୍ଜ, ଚାପଡୁ ଓରାମ, ମଙ୍ଗଲ ଏକ୍କା, ଭଦ୍ରକ ମିଞ୍ଜ, ଗଙ୍ଗା ଟୋପୋ ପୂଜାର୍ଚ୍ଚନା କରିଥିଲେ। ଭାଦ୍ରବ ଏକାଦଶୀର ଏହି ୯ ଦିନ ଧରି କୁଆଁରୀ ଝିଅମାନେ ଉପବାସ ବ୍ରତ କରି ଭୋଗରେ ଚୂଡା, କାକୁଡି, କ୍ଷିର ଓ ୫ ପ୍ରକାର ଫସଲ ମଞ୍ଜିକୁ ନିୟମ ଅନୁସାରେ କରମା ରାଜାଙ୍କୁ ଅର୍ପଣ କରିବା ସହ ଶ୍ରଦ୍ଧାଳୁମାନଙ୍କୁ ବିତରଣ କରିଥିଲେ। ପରେ ପାହାଣମାନେ ଏକ ଟାଙ୍ଗିଆକୁ ପୂଜାର୍ଚ୍ଚନା କରି କରମା ଡାଳ ଆଣିବା ପାଇଁ ଯାଇଥିଲେ। କରମା ଡାଳ ଆଣି ପୂଜାସ୍ଥଳରେ ସ୍ଥାପନ କରାଯିବା ପରେ ତାକୁ ପୂଜାର୍ଚ୍ଚନା କରାଯାଇଥିଲା। ପାହାଣମାନେ ସନ୍ଧ୍ୟା ସମୟରେ କରମା ଓ ଧରମାଙ୍କ ଜୀବନୀ ବାଣୀ ଉପସ୍ଥିତ ଶ୍ରଦ୍ଧାଳୁଙ୍କୁ ଅବଗତ କରାଇଥିଲେ। ଏହି ଅବସରରେ ମାଦଳ ସହ ରଙ୍ଗାରଙ୍ଗ ଆଦିବାସୀ ସଙ୍ଗୀତ ନୃତ୍ୟ ପରିବେଷଣ କରାଯାଇଥିଲା। ଏହି ପୂଜାରେ ବ୍ରତଧାରୀମାନେ କୃଷିର ଉନ୍ନତି ସାଙ୍ଗକୁ ପ୍ରକୃତିର ସାମଞ୍ଜସ୍ୟ ଓ ବିଶ୍ୱରେ ଶାନ୍ତି ବଜାଇ ରହିବା ପାଇଁ ସାମୂହିକ ପ୍ରାର୍ଥନା କରିଥିଲେ। ମନମୋହନ ଓରାମ, ଲୁନ୍ଦେଇ କେରକେଟ୍ଟା, ସୁରେଶ ଲାକ୍ରା, ବିକ୍ରମ କୁଜୁର ପ୍ରମୁଖ ସହଯୋଗ କରିଥିଲେ।