କୋକସରା,୧୫।୫(ଡି.ଏନ.ଏ.): ପଞ୍ଚାୟତର ଜନସାଧାରଣଙ୍କ ସମସ୍ୟାର ସମାଧାନ କରିବାକୁ ୱାର୍ଡ ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ। ହେଲେ ପ୍ରଶାସନର ଅଣଦେଖା ପ୍ରତିବାଦ କରି ସୋମବାର କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ଗ୍ରାମପଞ୍ଚାୟତର ୩ଜଣ ୱାର୍ଡ଼ ସଭ୍ୟ ସଭ୍ୟା ସାମୂହିକ ଭାବେ ପଞ୍ଚାୟତ ସରପଞ୍ଚଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ସୂଚନା ମତେ ବରାଡଙ୍ଗା ଗ୍ରାମପଞ୍ଚାୟତର ୧, ୨ ଓ ୩ ନମ୍ବର ୱାର୍ଡ଼ର ସଭ୍ୟ ଚୈତନ୍ୟ ସାହୁ, ସୁଲୋଚନା ଭଇଁସାଲ, କୌଶଲ୍ୟା ଚଳାନ ବିଗତ କିଛି ମାସ ତଳେ ଗାଁରେ ଅଙ୍ଗନଓ୍ବାଡି କର୍ମୀ ଚୟନରେ ଅନିୟମିତତାକୁ ନେଇ ବ୍ଲକ ଓ ଜିଲା ପ୍ରଶାସନ ନିକଟରେ ଦ୍ୱାରସ୍ଥ ହୋଇଥିଲେ। ଜନପ୍ରତିନିଧିମାନଙ୍କ ଦାବିକୁ ଅଣଦେଖା କରି ଅଙ୍ଗନଓ୍ବାଡିଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ନିଯୁକ୍ତି ଦିଆଯାଇଛି। ଏହା ବ୍ୟତୀତ ପଞ୍ଚାୟତର ସମସ୍ତ କାର୍ଯ୍ୟରେ ମଧ୍ୟ ସେମାନଙ୍କୁ ଅଣଦେଖା କରୁଥିବା ନେଇ ପ୍ରତିବାଦ କରି ୩ସଭ୍ୟ/ସଭ୍ୟା ସାମୁହିକ ଭାବେ ବରାଡଙ୍ଗା ସରପଞ୍ଚ ନିରୂପମା ସେଠିଙ୍କୁ ପଞ୍ଚାୟତରେ ଗ୍ରାମବାସୀଙ୍କ ସହ ଆସି ଇସ୍ତଫା ପତ୍ର ପ୍ରଦାନ କରିଥିବା ଜଣାପଡିଛି।