କଲେକ୍ଟର ଯୁବକଙ୍କ କଥା ନ ଶୁଣି ପ୍ରଥମେ ଚଟକଣି ଦେଲେ, ଶେଷରେ କ୍ଷମା ବି ମାଗିଲେ…

ସୁରଜପୁର,୨୩।୫: ଏବେ ସୋସିଆଲ ମିଡ଼ିଆରେ ଛତିଶଗଡ଼ର ଜଣେ କଲେକ୍ଟରଙ୍କ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ରାଜ୍ୟରେ କରୋନା ସଂକ୍ରମଣ ଯୋଗୁ ଲକ୍‌ଡାଉନ୍‌ ଜାରି ହୋଇଛି। ଅମାନିଆଙ୍କ ପାଇଁ କଡ଼ା କଟକଣା କରାଯାଇଛି। ତେବେ ବେଳେବେଳେ କେତେକ ନିରୀହ ଲୋକଙ୍କୁ ପ୍ରଶାସନର ନିର୍ଯାତନାର ଶିକାର ହେବାକୁ ପଡୁଛି। ଏଭଳି ଅଭାବନୀୟ ଘଟଣା ସୁରଜପୁରରେ ଘଟିଛି। ଲକ୍‌ଡାଉନ୍‌ ସମୟରେ ତଦାରଖ କରୁଥିବା କଲେକ୍ଟର ରଣବୀର ଶର୍ମା ରାସ୍ତାରେ ଯାଉଥିବା ଜଣେ ଯୁବକଙ୍କ ପାଖକୁ ଯାଇ ତାଙ୍କୁ କୌଣସି ପ୍ରଶ୍ନ ନ ପଚାରି ଶକ୍ତ ଚଟକଣି ଦେଇଥିଲେ। ତାଙ୍କ ହାତରୁ ଫୋନ୍‌ ନେଇ ତଳେ ଫିଙ୍ଗି ଭାଙ୍ଗି ଦେଇଥିଲେ। ଯୁବକ ଜଣଙ୍କ ଏକ କାଗଜ ଦେଖାଉଥିବାର ଭିଡ଼ିରେ ମଧ୍ୟ ଦେଖିବାକୁ ମିଳୁଛି। ତେବେ କଲେକ୍ଟର ଏହାପରେ ମୁତୟନ ଥିବା ପୋଲିସଙ୍କୁ ଯୁବକ ଜଣଙ୍କୁ ପିଟିବାକୁ ନିର୍ଦ୍ଦେଶ ଦେଇଥିଲେ। ଶନିବାର ଦିନ ଘଟିଥିବା ଏହି ଘଟଣାର ୫୨ ସେକେଣ୍ଡର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାପରେ କଲେକ୍ଟର ନିଜ ବ୍ୟବହାର ନେଇ କ୍ଷମା ମାଗିଥିଲେ। ତେବେ ୨୩ ବର୍ଷ ବୟସ୍କ ସମ୍ପୃକ୍ତ ଯୁବକଙ୍କ ବିରୋଧରେ କୋଭିଡ୍‌-୧୯ କଟକଣା ଅନୁସାରେ ମାମଲାର ଦାଏର କରାଯାଇଛି। ଏବେ କଲେକ୍ଟରଙ୍କୁ ସୋସିଆଲ ମିଡ଼ିଆରେ ଟ୍ରୋଲ୍‌ ହେବାକୁ ପଡ଼ିଛି।

Share