ସନ୍ତୋଷିନୀଙ୍କୁ ଭେଟି ଉତ୍ସାହିତ କଲେ ଜିଲାପାଳ

ସମ୍ବଲପୁର,୧୩ା୯(ବ୍ୟୁରୋ):ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗୋଷ୍ଠୀଗତ ୭ ଓ ବ୍ୟକ୍ତିଗତ ୩୦ ମୋଟ ୩୭ ଗୋଟି ଅଭିଯୋଗ ହୋଇଥିଲା। ଅଭିଯୋଗ ଶୁଣାଣି ପରେ ଜିଲାପାଳ ଅନନ୍ୟା ଦାସ ଯୁଯୁମୁରା ବ୍ଲକର ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଥିଲେ। ଡଙ୍ଗାପାଲ ଗ୍ରାମରେ ଏସ୍‌ଏଚ୍‌ଜି ମହିଳା ଦ୍ୱାରା ପରିଚାଳିତ ମିନି ରାଇସ ମିଲ୍‌, ଉଦ୍ୟାନ କୃଷି ବିଭାଗ ପକ୍ଷରୁ ହୋଇଥିବା ଆମ୍ଭ ବଗିଚା, ଛେଳି ଓ ଗୋ ପାଳନ ଫାର୍ମ ପରିଦର୍ଶନ କରିଥିଲେ। ଏହା ସହ ଯୁଯୁମୁରାରେ ଥିବା ୫-ଟି ସ୍କୁଲ ପରିଦର୍ଶନ କରି ସମସ୍ୟା ଓ ପାଠପଢା ଉପରେ ଆଲୋଚନା କରିଥିଲେ। ପରେ ଜଣେ ଆତ୍ମନିର୍ଭରଶୀଳ ଦିବ୍ୟାଙ୍ଗ ଯୁବତୀ ସନ୍ତୋଷିନୀ ଭୁଏଙ୍କୁ ଭେଟିଥିଲେ। ଯୁଯୁମୁରା ଛକରେ ଥିବା ସିଲେଇ ଦୋକାନକୁ ଯାଇ ତାଙ୍କ ସହ ଆଲୋଚନା କରିଥିଲେ। ସରକାରୀ ସୁବିଧା କ’ଣ ମିଳିଛି, ଆଉ କ’ଣ ଆବଶ୍ୟକ ରହିଛି ସେ ନେଇ ପଚାରି ବୁଝିଥିଲେ। ସନ୍ତୋଷିନୀ ନିଜେ ରୋଜଗାରକ୍ଷମ ହେବା ପରେ ଯୁବତୀମାନଙ୍କୁ ଟେଲର କାମ ପ୍ରଶିକ୍ଷଣ ଦେଇ ରୋଜଗାର ଦେଇଛନ୍ତି। ଏହା ଜାଣିବା ପରେ ଜିଲାପାଳ ଦାସ ଖୁସି ବ୍ୟକ୍ତ କରିବା ସହ ଉତ୍ସାହିତ କରିଥିଲେ। ଆଗକୁ ସମସ୍ତ ସରକାରୀ ସୁବିଧା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହାକୁ ନେଇ ସନ୍ତୋଷିନୀ ମଧ୍ୟ ବେଶ ଖୁସିବ୍ୟକ୍ତ କରିଛନ୍ତି। ଆଲୋଚନା ସମୟରେ ପିଡି ଡିଆରଡିଏ ଦିଲିପ କୁମାର ବଳ, ବିଡିଓ ନିଳାମ୍ବର ମହାନନ୍ଦ, ଯୁଯୁମୁରା ବ୍ଲକ ଅଧ୍ୟକ୍ଷା ମମତା ନାଏକ ଉପସ୍ଥିତ ଥିଲେ। ଅଭିଯୋଗ ଶୁଣାଣି ସମୟରେ ଜିଲାସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

Share