ଜିଲାପାଳଙ୍କ କାର୍ଯ୍ୟାଳୟ ଗ୍ରୀଲ ତାଲା ଭାଙ୍ଗି ଚୋରି

ନବରଙ୍ଗପୁର,୩୧ା୧୦(ସଦାଶିବ ପ୍ରହରାଜ): ଜିଲାପାଳଙ୍କ କାର୍ଯ୍ୟାଳୟରେ ପଶି ଚୋରି କରିବାକୁ ମଧ୍ୟ ଭୟ କଲେନି ଚୋର। ଜିଲାପାଳଙ୍କ କାର୍ଯ୍ୟାଳୟ ସୁରକ୍ଷା ବଳୟରେ ଥିଲେ ମଧ୍ୟ ଏହା ଚୋରଙ୍କ ପାଇଁ କିଛି ଫରକ ପଡିନି। ସେମାନେ ତାଲା ଭାଙ୍ଗି ନିର୍ଭୟରେ ଚୋରି କରିଛନ୍ତି। ଏହି ଖବର ଜଣାପଡିବା ପରେ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ଚୋରମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ଗ୍ରୀଲ ତାଲା ଭାଙ୍ଗି ୪ଟି ମନିଟର, ୨ଟି ସିପିୟୁ ସହ ଗୋଟିଏ ପ୍ରିଣ୍ଟର ଚୋରି କରି ନେଇଯାଇଛନ୍ତି l ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ତଳମହଲାରେ ଥିବା ନିର୍ବାଚନ ଉପ ବିଭାଗ କକ୍ଷ ଏବଂ ଡେପୁଟି କଲେକ୍ଟରଙ୍କ କକ୍ଷରୁ ଏହି ଚୋରି ହୋଇଛି। ସୋମବାର କର୍ମଚାରୀମାନେ କାର୍ଯ୍ୟାଳୟ ଭିତରକୁ ଯିବା ବେଳେ ତାଲା ଭାଙ୍ଗିଥିବା ଏବଂ ଏହା ତଳେ ପଡିଥିବା ଦେଖି ନବରଙ୍ଗପୁର ଥାନାକୁ ଖବର ଦେଇଥିଲେ। ଏଡିପିଓ ନିହାର ରଞ୍ଜନ ପ୍ରଧାନ, ଥାନା ଅଧିକାରୀ ସମ୍ବିତ ବେହେରା, ଏସ୍‌ଆଇ ସବୀର ଅହମ୍ମଦ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି l ସାଇଣ୍ଟିଫିକ ଟିମ୍‌ ଏବଂ ସନ୍ଧାନୀ କୁକୁର ମଧ୍ୟ ଘଟଣା ସ୍ଥଳରେ ଛାନଭିନ୍‌ ଚଳାଇଛି। ଏହି ଘଟଣା ସାଧାରଣରେ ଆଲୋଡନ ଖେଳାଇ ଦେଇଛି।

ନବରଙ୍ଗପୁର ଜିଲାପାଳଙ୍କ କାର୍ଯ୍ୟାଳୟ ଯେଉଁଠି ସୁରକ୍ଷିତ ନୁହେଁ ସେଠାରେ ଜନସାଧାରଣ କିପରି ସୁରକ୍ଷିତ ରହିବେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ, ସରକାରୀ ସମ୍ପତ୍ତି ଓ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓ ଫାଇଲ ରହୁଥିବା ଜିଲାପାଳଙ୍କ କାର୍ଯ୍ୟାଳୟର ସିସିଟିଭି ଦୀର୍ଘ ମାସ ହେବ ଅଚଳ ହୋଇପଡିଛି। ଏହାର ମରାମତି କରାଯାଉନାହିଁ । ସରକାର ରାତ୍ର ଜଗୁଆଳି ନିଯୁକ୍ତି କରିଛନ୍ତି ଏଥିସହ ପୋଲିସ ରାତ୍ରକାଳୀନ ପାଟ୍ରୋଲିଂ କରାଯାଉଥିବା କୁହାଯାଉଛି। ଏହା ସତ୍ତ୍ୱେ ଜିଲାପାଳଙ୍କ କାର୍ଯ୍ୟାଳୟରୁ ଚୋରି ହେବା ପ୍ରଶାସନିକ କାର୍ଯ୍ୟଦକ୍ଷତା ପ୍ରତି ପ୍ରଶ୍ନ ଉଠାଇଛି।

Share