ବଲାଙ୍ଗୀର ଅଫିସ, ୨୦ା୧୨: ବଲାଙ୍ଗୀର ଜିଲା ଆଗଲପୁର ପଞ୍ଚାୟତ ହାଇସ୍କୁଲ କ୍ରୀଡା ପ୍ରତିଯୋଗିତା ଚାଲିଥିବାବେଳେ ଏକ ଜାଭେଲିନ୍ ଗଳିଯିବା ଘଟଣାରେ ଆହତ ହୋଇ ଚିକିତ୍ସିତ ହେଉଥିବା ଛାତ୍ର ସଦାନନ୍ଦ ମେହେରଙ୍କ ସ୍ବାସ୍ଥାବସ୍ଥା ଜିଲାପାଳ ଚଞ୍ଚଳ ରାଣା ପଚାରି ବୁଝିଥିଲେ। ଜିଲାପାଳ ରାଣା ସୋମବାର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ଯାଇ ଆଇସିୟୁରେ ସଦାନନ୍ଦଙ୍କ ସ୍ବାସ୍ଥ୍ୟବସ୍ଥା କିପରି ରହିଛି ସେନେଇ ମେଡିକାଲ କଲେଜ ଅଧିକ୍ଷକ ଡା ମାନସୀ ପଣ୍ଡା, ଏଡିଏମ୍ଓ ଡା ପ୍ରଭାତ କୁମାର ରଥଙ୍କ ସହ ଆଲୋଚନା କରିଥିଲେ। ସଦାନନ୍ଦ ଏବେ ସୁସ୍ଥ ହେଉଥିବା ସମ୍ପର୍କରେ ଡାକ୍ତରମାନେ ସୂଚନା ଦେବା ସହ ଦିନେ ଦୁଇଦିନ ଭିତରେ ତାଙ୍କୁ ହସ୍ପିଟାଲରୁ ରିଲିଫ୍ କରାଯିବ ବୋଲି କହିଥିବା ଜିଲାପାଳ ରାଣା ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଥିଲେ। ଏହାପରେ ଜିଲାପାଳ ରାଣା ତାଙ୍କ ପିତାମାତାଙ୍କ ସହ ଆଲୋଚନା କରିଥିଲେ। ଜିଲାପାଳ ରାଣା ସଦାନନ୍ଦଙ୍କ ସାହସକୁ ଭୂୟସୀ ପ୍ରଶଂସା କରିଥିଲେ। ତାଙ୍କ ସାହସକୁ ଦେଖି ଡାକ୍ତରମାନେ ମଧ୍ୟ ଉତ୍ସାହିତ ହୋଇ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଅସ୍ତ୍ରୋପଚାର କରିବାକୁ ସାହସ ବାନ୍ଧିଥିଲେ ବୋଲି କହିଥିଲେ। ଏହି ଅବସରରେ ଜିଲାପାଳ ସମସ୍ତ ଡାକ୍ତରୀ ଟିମ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ।