ଦୁଇ ବସ୍‌ ମୁହାଁମୁହିଁ ଘଟଣା: ଆହତଙ୍କୁ ଭେଟିଲେ ଜିଲାପାଳ, ଏସ୍‌ପି

ବ୍ରହ୍ମପୁର,୨୬ା୬(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଖେମୁଣ୍ଡି କଲେଜ ଛକରେ ରବିବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁଇ ମୁହାଁମୁହିଁ ଧକ୍କା ହେବା ଫଳରେ ଏଯାବତ ୧୧ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୯ରୁ ଊର୍ଦ୍ଧ୍ୱ ଆହତ ହୋଇଥିବା ସରକାରୀ ରିପୋର୍ଟରୁ ପ୍ରକାଶ। ପାଟପୁର ଥାନା ଅନ୍ତର୍ଗତ ଖଣ୍ଡଦେଉଳି ଗ୍ରାମର ଏକ କନ୍ୟାଯାତ୍ରୀ ଦଳ ବ୍ରହ୍ମପୁର ବ୍ରହ୍ମାନଗର ଆସିଥିଲେ। କନ୍ୟାକୁ ସେଠାରେ ଛାଡ଼ି ସେମାନେ ଭୋଜି ଖାଇ ଏକ ମିନି ବସ୍‌ ଓଡି ଆର-୧୦ଏ- ୬୮୭୫ ଯୋଗେ ଗାଁ’କୁ ଫେରୁଥିଲେ। ଖେମୁଣ୍ଡି କଲେଜ ଛକରେ ବିଳମ୍ବିତ ରାତିରେ ରାୟଗଡ଼ା ଜିଲା ଗୁଣପୁରରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଏକ ଓଏସ୍‌ଆରଟିସି ବସ୍‌ ଓଡି ବି ଓ୍ବାଇ୍‌-୧୯୩୮ ଉକ୍ତ ମିନି ବସର ସମ୍ମୁଖକୁ ଧକ୍କା ଦେଇଥିଲା। ଏଥିରେ ଅନେକ ଆହତ ହୋଇଥିଲେ। ସମସ୍ତଙ୍କୁ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ୧୧ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୯ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଶୁଭେନ୍ଦୁ ପ୍ରଧାନ (୩୨)ଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଖବର ପାଇ ଜିଲାପାଳ ଦିବ୍ୟଲୋଚନା ପରିଡ଼ା,ବ୍ରହ୍ମପୁର ଉପଜିଲପାଳ ଆଶୁତୋଷ କୁଲକର୍ଣ୍ଣି , ବ୍ରହ୍ମପୁର ଏସ୍‌ପି ଡା. ସର୍ବଣ ବିବେକ ଏମ୍‌. ଏମ୍‌କେସିଜିରେ ପହଞ୍ଚିଥିଲେ। ଆହତଙ୍କୁ ଭେଟି ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ। ଜିଲାପାଳ କହିଥିରେ, ଦୁର୍ଘଟଣାରେ ଆହତମାନଙ୍କ ଚିକିତ୍ସା ଚାଲିଛି। ସେମାନଙ୍କୁ ସମସ୍ତ ପ୍ରକାର ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯିବ ବୋଲି କହିଥିଲେ।