ସାଇକେଲ୍‌ରେ ବୁଲୁଥିବା ଜିଲାପାଳଙ୍କୁ ଅଟକାଇଲେ ମହିଳା କନଷ୍ଟେବଳ

ଭିଲଓ୍ବାଡା,୧୯।୫: କରୋନା ପ୍ରକୋପ ଯୋଗୁ ରାଜସ୍ଥାନ ଭିଲଓ୍ବାଡାରେ ଲକ୍‌ଡାଉନ ଜାରି ରହିଛି। କଟକଣା ସତ୍ତ୍ୱେ ବି କେତେକ ଅମାନିଆ ବାହାରେ ବୁଲୁଥିବାର ନଜିର ରହିଛି। ଫଳରେ ଲକ୍‌ଡାଉନ ସ୍ଥିତି ସମୀକ୍ଷା ପାଇଁ ସହର ପରିକ୍ରମାରେ ବାହାରିଥିଲେ ନିଜେ ଜିଲାପାଳ। ଏହି ସମୟରେ ମହିଳା ପୋଲିସ ତାଙ୍କୁ ଚିହ୍ନି ନ ପାରି ଅଟକାଇବା ସହ ତାଗିଦ୍‌ କରିଥିଲେ। ହେଲେ ସତ ଜାଣିବା ପରେ ମହିଳା ପୋଲିସ ନିଜକୁ ଲଜ୍ଜିତ ଅନୁଭବ କରିଥିଲେ। ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ, ମଙ୍ଗଳବାର ଜିଲାପାଳ ଶିବ ପ୍ରସାଦ ଏମ୍‌ ନକାତେ ସହରରେ ଲକ୍‌ଡାଉନ୍‌ ସ୍ଥିତି ସମୀକ୍ଷା କରିବା ପାଇଁ ସକାଳୁ ସକାଳୁ ସାଇକେଲ୍‌ରେ ବାହାରିଥିଲେ। ଜିଲାପାଳ ରାଉଣ୍ଡରେ ଯାଉଛନ୍ତି ବୋଲି ପୋଲିସକୁ ସୂଚନା ମିଳିଥିଲା କିନ୍ତୁ କେଉଁଥିରେ ଯାଉଛନ୍ତି ତାହା କାହାକୁ ଜଣା ନ ଥିଲା।

ଠିକ୍‌ ସେହି ସମୟରେ ଜିଲାପାଳ ଟି-ସାର୍ଟରେ ସାଇକେଲ୍‌ ଚଳାଇ ଗୁଲମଣ୍ଡି ଅଞ୍ଚଳରେ ପହଞ୍ଚିଥିଲେ। ସେଠାରେ ମୁତୟନ ଥିବା ମହିଳା କନଷ୍ଟେବଳ ନିର୍ମଳା ସ୍ବାମୀ ତାଙ୍କୁ ଚିହ୍ନି ନ ପାରି ଅଟକାଇବା ସହ ତାଙ୍କୁ ଘରେ ରହିବାକୁ ତାଗିଦ୍‌ କରିଥିଲେ। ସେହି ସମୟରେ ପଛରେ ଥିବା ଗନ୍‌ମ୍ୟାନ ସେ ଜିଲାପାଳ ବୋଲି ମହିଳା ପୋଲିସଙ୍କୁ କହିଥିଲେ। ଏହା ଶୁଣି କିଛି ସମୟ ପାଇଁ ମହିଳା ପୋଲିସ ଚୁପ୍‌ ହୋଇଯାଇଥିଲେ। କିନ୍ତୁ ଜିଲାପାଳ ତାଙ୍କର ଏଭଳି କାର୍ଯ୍ୟକୁ ପ୍ରଶଂସା କରିବା ସହ ନିଜ କର୍ତ୍ତବ୍ୟ ସଠିକ୍‌ ଭାବେ ପାଳନ କରିବାକୁ ପରାମର୍ଶ ଦେଇଥିଲେ। ସୂଚନା ମୁତବାକ ପୂର୍ବରୁ ମହିଳା ପୋଲିସ ନିର୍ମଳା ଓ ତାଙ୍କ ପୁଅ କରୋନାରେ ଆକ୍ରାନ୍ତ ହୋଇସାରଛନ୍ତି। କରୋନାର କଷ୍ଟ ସେ ଅନୁଭବ କରିଛନ୍ତି। ତେଣୁ ଘରୁ ନ ବାହାରିବାକୁ ସେ ଲୋକଙ୍କୁ ନିବେଦନ କରୁଛନ୍ତି ବୋଲି ନିର୍ମଳା କହିଛନ୍ତି।

Share